Site icon Odisha.com

ରାଜ୍ୟରେ ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ: କେନ୍ଦ୍ରୀୟ ଦଳ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ମରୁଡ଼ି ଯୋଗୁଁ ଓଡ଼ିଶାରେ ଧାନଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ବୋଲି ମରୁଡ଼ି ପରିସ୍ଥିତିର ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଶୁକ୍ରବାର କହିଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ୍.କେ.ଜି ରାହାତେଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ରାଜ୍ୟର ବିଭିନ୍ନ ମରୁଡ଼ି ଅଞ୍ଚଳ ପରିଦର୍ଶନ କରିବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।

ତାଙ୍କ ଦଳ ଆଠଟି ଜିଲ୍ଲାର ମରୁଡ଼ି ଅଞ୍ଚଳ ପରିଦର୍ଶନ କରିଛନ୍ତି । ଧାନ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ଓ ଏ ସଂପର୍କରେ ଦଳ କେନ୍ଦ୍ର ସରକାରଙ୍କୁ ଠକ୍ ଭାବେ ଅବଗତ କରାଇବ ବୋଲି ରାହାତେ କହିଛନ୍ତି ।

ଜିଲ୍ଲାପାଳ ମାନଙ୍କ ରିପୋର୍ଟକୁ ଆଧାର କରି ୧୫ଟି ଜିଲ୍ଲାର ୯୦ଟି ବ୍ଲକ ଅର୍ନ୍ତଭୁକ୍ତ ୧୦,୩୩୬ ଗାଁ ଏବଂ ୧୪ଟି ପୌର ପରିଷଦର ୧୦୪ ଟି ୱାର୍ଡ଼କୁ ମରୁଡ଼ି ପ୍ରଭାବିତ ଭାବେ ସରକାର ଘୋଷଣା କରିଥିଲେ ।

ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ୧୫୧୬.୭୪ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିଲା । ମରୁଡ଼ି ପ୍ରଭାବିତ ଅଞ୍ଚଳ ଗସ୍ତକରି ଏହାର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଗତ ସୋମବାର ସାତ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଆସିଥିଲେ ।

ଓଡିଶା ଡଟ୍ କମ୍

Exit mobile version