Site icon Odisha.com

ବେଦାନ୍ତ ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନିମନ୍ତେ ଯାହା କରାଯାଇଛି ତାହା ରାଜ୍ୟର ହିତ ପାଇଁ କରାଯାଇଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି । ଆମେ କିଛି ଭୂଲ କରିନାହୁଁ ।

ସେ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି ହୋଇଥିଲା ବୋଲି ହାଇକୋର୍ଟ ଯାହା ଦର୍ଶାଇଛନ୍ତି ତାହାସତ୍ୟ ନୁହେଁ, ସେ କହିଛନ୍ତି । ଶ୍ୟାମ ପିତ୍ରୋଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ଜ୍ଞାନ କମିଶନ ଶେରେ ଅନ୍ୟୁନ ୧୫୦୦ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ ।

ଏହା ବ୍ୟତୀତ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ତଦନୁଯାୟୀ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ପରିକଳ୍ପନା କରାଯାଇଥିଲା ।

ଏକ୍ଷେତ୍ରରେ ବେଦାନ୍ତ ଫାଉଣ୍ଡେସନ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇ ସେହି ସଂସ୍ଥା ସହ ବୁଝାମଣା କରିବା ପୂର୍ବରୁ ରାଜସ୍ୱ, ଉଚ୍ଚଶିକ୍ଷା ଏବଂ ଆଇନ ବିଭାଗର ମତାମତ ଲୋଡ଼ା ଯାଇଥିଲା । ପ୍ରତ୍ୟେକ ବିଭାଗ ସେହି ବିଶ୍ୱବିଦ୍ୟାଳୟ ପାଇଁ ଅନୁକୂଳ ମତ ଦେଇଥିବା ବେଳେ ଏକ ମହନୀୟ ଶିକ୍ଷାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ ଯୁକ୍ତିଯୁକ୍ତ ବୋଲି ସେ କହିଥିଲେ ।

ବେଦାନ୍ତ ଫାଉଣ୍ଡେସନ ଏକ ପ୍ରାଇଭେଟ କମ୍ପାନୀ ହୋଇଥିଲେ ବି ତାହାକୁ ପବ୍ଲିକ ଲିମିଟେଡ଼କମ୍ପାନୀ କରିବାରେ କୌଣସି ଅସୁବିଧା ନାହିଁ ।

ସେହିପରି ଚିହ୍ନଟ ଅଞ୍ଚଳରେ ୯ଟି ଗ୍ରାମରେ ଥିବା ୬୦୬ ଏକର ଜମିକୁ ପ୍ରଚଳିତ ଆଇନ ଅନୁସାରେ ଅଧିଗ୍ରହଣ କରାଯାଇଛି । ଏସବୁ ସତ୍ତ୍ୱେ ରାଜ୍ୟ ଆଡ଼ଭୋକେଟ ଜେନେରାଲ ହାଇକୋର୍ଟଙ୍କ ରାୟର ତର୍ଜମା କରୁଛନ୍ତି । ତାହାର ସୁପାରିଶ ଅନୁସାରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧି ଦଳ ନେତା ଭୂପିନ୍ଦର ସିଂହଙ୍କ ନେତୃତ୍ୱରେ ବିରୋଧି ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version