Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ସଂପର୍କରେ ମିଥ୍ୟା ତଥ୍ୟ ପ୍ରଦାନ କରି ଗୃହକୁ ବିଭ୍ରାନ୍ତିକର ପରିସ୍ଥିତିରେ ପକାଇବା ଅଭିଯୋଗ କରି ଶୁକ୍ରବାର ବିଧାନସଭାରେ ବିଜେପି ଓ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଛନ୍ତି ।

ଏହାକୁ କେନ୍ଦ୍ରକରି ଗୃହରେ ପ୍ରବଳ ହଟ୍ଟଗୋଳ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଗୃହ ବାରମ୍ବାର ମୁଲତବି ଘୋଷିତ ହୋଇଥିଲା । ପ୍ରଥମେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏହି ସ୍ୱାଧିକାର ଭଙ୍ଗ ନୋଟିସ ଆଗତ କରିଥିବା ବେଳେ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରତାପ ଷଡ଼ଙ୍ଗୀ ତାଙ୍କୁ ସମର୍ଥନ କରିଥିଲେ ।

ସେହିପରି କଂଗ୍ରେସ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ ଅନ୍ୟ ଏକ ସ୍ୱାଧିକାର ଭଙ୍ଗ ନୋଟିସ ଆଗତ କରିଥିବା ବେଳେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ଓ ଅନ୍ୟ ବିଧାୟକମାନେ ତାଙ୍କୁ ସମର୍ଥନ କରିଥିଲେ ।

“ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତାହାର ବିକୃତ ଅବତାରଣା କରିଛନ୍ତି । ତାହାର ତୃତୀୟ ପୃଷ୍ଠାରେ ଦର୍ଶାଯାଇଥିବା ତଥ୍ୟ ସତ୍ୟ ନୁହେଁ । ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପ୍ରସ୍ତାବ ରଖାଯାଇଥିବା ବେଦାନ୍ତ ଫାଉଣ୍ଡେସନ ଏକ ପବ୍ଲିକ ଲିମିଟେଡ଼ କମ୍ପାନୀ ହୋଇଥିବା ବେଳେ ସରକାର ତହାକୁ ପ୍ରୋତ୍ସାହିତ କରି ଜମି ଅଧିଗ୍ରହଣ କରିଛନ୍ତି ।

ସେ କ୍ଷେତ୍ରରେ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ଅବତାରଣା ନକରି ସରକାରୀ ଓକିଲଙ୍କ ବୟାନକୁ ମୁଖ୍ୟମନ୍ତ୍ରୀ ଅବତାରଣାର କରିଛନ୍ତି । ଏକ୍ଷେତ୍ରରେ ଜମି ଅଧିଗ୍ରହଣ ଅବୈଧ ପ୍ରମାଣିତ ହୋଇଯାଇଛି ”ତେଣୁ ଗୃହକୁ ଭୂଲ ତଥ୍ୟ ଦିଆଯାଇଥିବାରୁ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ଏବଂ ସ୍ୱାଧିକାର ଭଙ୍ଗ ନୋଟିସ ଉପରେ ତୁରନ୍ତ ଆଲୋଚନା କରାଯାଉ ନଚେତ ଗୃହ କାର୍ଯ୍ୟ ଚାଲି ପାରିବ ନାହିଁ ବୋଲି ବିରୋଧି ଦଳ ନେତା କହିଥିଲେ । ମୁଖ୍ୟମନ୍ତ୍ରୀ ଗୃହକୁ ଦେଇଥିବା ତଥ୍ୟ ଆଦୌ ବିଭ୍ରାନ୍ତିକର ନୁହେଁ ଓ ଗୃହ କାର୍ଯ୍ୟ ବିଧିବଦ୍ଧ ଭାବେ ଚାଲୁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି ବିରୋଧି ବିଧାୟକଙ୍କୁ ଅନୁରୋଧ କରିଥିଲେ ।

ତେବେ କଂଗ୍ରେସ ବିଧାୟକମାନେ ତୁରନ୍ତ ଆଲୋଚନା ଦାବୀ କରି ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ପ୍ଲାକାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଫଳରେ କାର୍ଯ୍ୟ ପରିଚାଳନାରେ ଅସୁବିଧା ହେବାରୁ ବାଚସ୍ପତି ୧୦ଟା ୫୪ ମିନିଟରୁ ୧୫ ମିନିଟ ପାଇଁ ମୁଲତବି ଘୋଷଣା କରିଥିଲେ ।

ଦ୍ଵିତୀୟ ଥର ଗୃହ କାର୍ଯ୍ୟ ପରିଚାଳନା କରିବାକୁ ଆସି ବାଚସ୍ପତି ଅନୁରୂପ ଅବସ୍ଥାର ସମ୍ମୁଖିନ ହୋଇଥିଲେ ଓ ପୁଣି ହୋହାଲ୍ଲା ଜାରି ରହିଥିବାରୁ ୧୧ଟା ୨୪ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version