Site icon Odisha.com

ଇନ୍ଦ୍ରାଣୀ ପଟ୍ଟନାୟକ ଖଣି କମ୍ପାନୀକୁ କୈଫୟତ ତଲବ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ଖଣି ଦୁର୍ନୀତି ଉପରେ ମେସର୍ସ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି କମ୍ପାନୀକୁ ସରକାର କୈଫୟତ ତଲବ କରିଛନ୍ତି ।

ଏହାସହ ବେଆଇନ ଖଣି କାରବାର କରିଥିବାରୁ ତୁରନ୍ତ ସରକାରଙ୍କ ତହବିଲରେ ୧୧୩୧ କୋଟି ୭୨ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଛି । ସଂପୃକ୍ତ ଖଣି କମ୍ପାନୀ ଉପରେ ଭିଜିଲାନ୍ସ ବିଭାଗର ରିପୋର୍ଟ ଅନୁସାରେ ଇସ୍ପାତ ଓ ଖଣି ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

କମ୍ପାନୀ ବହୁ ବେନିୟମ ତଥା ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ କରିଥିବାରୁ ତାହାର ଲାଇସେନ୍ସ କାହିଁକି ରଦ୍ଧ କରାଯିବ ନାହିଁ ବୋଲି ଉକ୍ତ କୈଫୟତରେ ଉଲ୍ଲେଖ କରାଯାଇଛି ।ଅନୁରୂପ ଭାବେ ମେସର୍ସ ଏସ୍.ଏନ୍. ଦାସ ମହାପାତ୍ର କମ୍ପାନୀକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଦିଆଯାଇଛି ।

ବେଆଇନ ଖଣି କାରବାରରେ ଲିପ୍ତ ଅଭିଯୋଗରେ ସେମାନଙ୍କର ଖଣି ପଟ୍ଟା କାହିଁକି ବାତିଲ କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି ।

ସଂପୃକ୍ତ କମ୍ପାନୀ ମୁଖ୍ୟତଃ ମାଙ୍ଗାନିଜ ପଥର ଉତ୍ତୋଳନ ଓ ବ୍ୟବସାୟ କରିଆସୁଥିଲା ।ଉଲ୍ଲେଖଯୋଗ୍ୟ ଯେ ଇନ୍ଦ୍ରାଣୀ ପଟ୍ଟନାୟକ କମ୍ପାନୀ ଅଧିନରେ ଏକାଧିକ ଖଣି ରହିଛି ।

ଏହା ଉଭୟ ଲୁହାପଥର ଓ ମାଙ୍ଗାନିଜ ପଥର ଖଣି ବ୍ୟବସାୟ କରୁଥିଲେ । ତେବେ ସେମାନଙ୍କ ଖଣି କାରବାର ପାଇଁ ଯେତିକି ଅନୁମତି ମିଳିଥିଲା ତାହାଠାରୁ ସେମାନେ ଅଧିକ ଚାଲାଣ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version