Site icon Odisha.com

ବିକାଶ ପାଇଁ ଜିଲ୍ଲା ସ୍ୱାର୍ଥ ସୁରକ୍ଷା ବିକାଶ ମଞ୍ଚ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ସମସ୍ତ ରାଜନୈତିକ ଦଳ ଓ ନାଗରିକ ମାନଙ୍କ ପକ୍ଷରୁ ଜିଲ୍ଲା ସ୍ୱାର୍ଥ ସୁରକ୍ଷା ବିକାଶ ମଞ୍ଚ ଗଠନ କରାଯାଇଛି ।

ଲୋକଙ୍କ ମଧ୍ୟରେ ଦୁର୍ନୀତି ଓ ବିଭିନ୍ନ ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ସାତ ତାରିଖରେ ଏକ ସମାବେଶର ଅୟୋଜନ କରାଯାଇଛି ବୋଲି ମଞ୍ଚର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ପ୍ରଧାନ କହିଛନ୍ତି ।

୨୦୦୧ ଜନଗଣନା ଅନୁସାରେ ଜିଲ୍ଲାର ସାକ୍ଷରତା ହାର ରାଜ୍ୟରେ ସର୍ବାଧିକ ୭୯.୮୦ ପ୍ରତିଶତ । ଦୁର୍ନୀତି ଓ ସ୍ୱାର୍ଥପର ଲୋକଙ୍କ ପାଇଁ ଜିଲ୍ଲାରେ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ବହୁତ ମନ୍ଥର ।

ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଛି । ଫଳରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସୁଫଳ ପାଇବାରୁ ଲୋକମାନେ ବଞ୍ଚିତ ହେଉଛନ୍ତି ।

କେତେକ ସ୍ୱାର୍ଥପର ଲୋକ ଜିଲ୍ଲାରେ ହେବାକୁ ଥିବା ପୋସ୍କୋ ପ୍ରକଳ୍ପକୁ ବିରୋଧ କରୁଥିବାରୁ ଏହି ପ୍ରକଳ୍ପ କରିବା
ସପକ୍ଷରେ ଉକ୍ତ ମଞ୍ଚ ଆନ୍ଦୋଳନ କରିବ ବୋଲି ମଞ୍ଚର ଜଣେ ଅଧିକାରୀ କହିଛନ୍ତି । ଏହି କାରଣରୁ କେବଳ ପୋସ୍କୋ ନୁହେଁ ଅନ୍ୟ ପ୍ରକଳ୍ପ ମଧ୍ୟ ଏହି ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

୧୯୯୯ ମହାବାତ୍ୟା ପରଠାରୁ ଜିଲ୍ଲାର ଅର୍ଥନୈତିକ ଅବସ୍ଥା ସ୍ୱଚ୍ଛଳ ହୋଇପାରି ନାହିଁ । ସଚେତନତାର ଅଭାବ, ଦଳୀୟ ଗୋଷ୍ଟିକନ୍ଦଳ ଓ ଅବହେଳା ଏହାର ମୁଖ୍ୟ କାରଣ । ତେଣୁ ଦାବି ପୂରଣ ପାଇଁ ଜାତି, ଧର୍ମ, ରାଜନୈତିକ ଡଳ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଏଭଳି ମଞ୍ଚ ଗଠନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version