Site icon Odisha.com

ସ୍ୱୟଂଶାସିତ କଲେଜ ଗୁଡ଼ିକର କାର୍ଯ୍ୟର ସମୀକ୍ଷା ହେବ

 

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଥିବା ସମସ୍ତ ସ୍ୱୟଂଶାସିତ କଲେଜ ଗୁଡ଼ିକର ପରୀକ୍ଷା ପଦ୍ଧତି, ଅନୁଦାନ ବ୍ୟୟ ସଂପର୍କରେ ସମୀକ୍ଷା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଗୁରୁବାର ବିଧାନସଭାରେ କହିଛନ୍ତି ।

ରାଜ୍ୟରେ ସମୁଦାୟ ୨୯ଟି ସ୍ୱୟଂଶାସିତ କଲେଜ ଥିବା ବେଳେ ସେଥିମଧ୍ୟରୁ ୧୯ଟି ସରକାରୀ, ନଅଟି ଅନୁଦାନପ୍ରାପ୍ତ ଏବଂ ଗୋଟିଏ ଅଣ ଅନୁଦାନପ୍ରାପ୍ତ କଲେଜ ରହିଛି ।

ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନିୟମାବଳୀ ଅନୁସାରେ ଏହି କଲେଜ ଗୁଡ଼ିକୁ ସ୍ୱୟଂଶାସିତ ମାନ୍ୟତା ଦିଆଯାଇଛି । ଫଳରେ କଲେଜ ଗୁଡ଼ିକ ନିଜେ ନିଜର ପରୀକ୍ଷା କରୁଛନ୍ତି । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ବାହାରେ ପ୍ରସ୍ତୁତ ହେଉଥିବା ବେଳେ ୫୦ ପ୍ରତିଶତ ଖାତା ଦେଖା ସଂପୃକ୍ତ କଲେଜରେ ହୋଇପାରୁଛି ବୋଲି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବିଧାନସଭାରେ କହିଛନ୍ତି ।

ସଂପୃକ୍ତ କଲେଜ ଗୁଡ଼ିକର ପରୀକ୍ଷାରେ ତୃଟି ବିଚ୍ୟୁତି ସଂପର୍କରେ ସରକାରୀ ଭାବେ ସମୀକ୍ଷା କରାଯିବ । ସରକାର ଗଠନ କରିଥିବା ଟାସ୍କଫୋର୍ସର ସୁପାରିଶ ଅନୁସାରେ ମଧ୍ୟ ପକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।

ସ୍ୱୟଂଶାସିତ କଲେଜ ଗୁଡ଼ିକରେ ପରୀକ୍ଷା ପଦ୍ଧତିକୁ ନେଇ ବିଧାୟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସଂପୃକ୍ତ କଲେଜରେ ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା ଏବଂ ଖାତା ଦେଖା ଯାଉଛି । ଯେଉଁ ଅଧ୍ୟାପକମାନେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛନ୍ତି ସେମାନେ ଖାତା ଦେଖୁଛନ୍ତି ବୋଲି ବିଧାୟକମାନେ କହିଥିଲେ ।

ତେଣୁ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରି ସମସ୍ତ ସ୍ୱୟଂଶାସିତ କଲେଜରେ ଏକା ପ୍ରଶ୍ନପତ୍ର ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version