Site icon Odisha.com

କେନ୍ଦ୍ର ବିରୋଧରେ ଲଢେଇ ପାଇଁ ଛାତ୍ରଙ୍କୁ ଆହ୍ୱାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରୁଥିବା ତଥା ବିକାଶରେ ବାଧା ସୃଷ୍ଟି କରୁଥିବାରୁ ରାଜ୍ୟର ନ୍ୟାଯ୍ୟ ଦ।ବି ଓ ସ୍ୱାର୍ଥରକ୍ଷା ପାଇଁ ଛାତ୍ର ସମାଜ ସାମିଲ ହୋଇ ଏହି ସଂଗ୍ରାମକୁ ମହାସଂଗ୍ରାମରେ ପରିଣତ କରିବାକୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

କେନ୍ଦ୍ରୀୟ ଅବହେଳା ସଂପର୍କରେ ଛାତ୍ର ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ୱର ଠାରେ ଆୟୋଜିତ ଛାତ୍ର ସଭାବେଶରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଛାତ୍ର ପ୍ରତିନିଧି ମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି ।

ଓଡ଼ିଶାରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଖଣିଜ ସଂପଦରୁ କେନ୍ଦ୍ର ସରକାର ବହୁ ଅର୍ଥ ପାଉଥିବା ବେଳେ ରାଜ୍ୟରୁ ଯେଉଁ ହାରରେ ରୟାଲିଟି ମିଳିବା କଥା ତାହା ମିଳୁ ନାହିଁ ଓ ପୂର୍ବଟତ ରେଳବାଇ ଓଡ଼ିଶାରୁ ବାର୍ଷିକ ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ସେହି ତୁଳନାରେ ରାଜ୍ୟରେ ରେଳବାଇର ବିକାଶ କରାଯାଉ ନାହିଁ ବୋଲି ସେ କହିଥିଲେ ।

କେନ୍ଦ୍ରର ଅବହେଳା ବିରୋଧରେ ବିଜେଡ଼ିର ସଂଗ୍ରାମ ଜାରି ରହିଛି ଓ ଆଗାମୀ ଦିନରେ ପ୍ରତ୍ୟେକ କଲେଜରେ ଛାତ୍ର କର୍ମଶାଳା, ଦସ୍ତଖତ ଅଭିଯାନ ଏବଂ ସାଇକେଲ ଶୋଭାଯାତ୍ରା କରି ଅଭିଯାନକୁ ସଫଳ କରିବାକୁ ପ୍ରୟାସ ଚାଲିଛି , ସେ କହିଛନ୍ତି ।

ଏହି କର୍ମଶାଳରେ ଦଳର ବହୁ ବିଧାୟକ, ମନ୍ତ୍ରୀ ଓ କର୍ମୀମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version