Site icon Odisha.com

ବନ୍ୟପ୍ରାଣୀ ଆଇନ ଉଲଂଘନ ଅଭିଯୋଗରେ ସାଂସଦଙ୍କ ଗିରଫ ଦ।ବି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ସାତକୋଶିଆ ଅଭୟାରଣ୍ୟରେ ଜଣେ ସାଂସଦଙ୍କ ହେଲିକ୍ୟାପ୍ଟର ଅବତରଣ କରିଥିବାରୁ ଏହା ଦ୍ୱାରା ବନ୍ୟପ୍ରାଣୀ ଆଇନ ଉଲଂଘନ ହୋଇଥିବା ଅଭିଯୋଗ କରି ବିରୋଧି କଂଗ୍ରେସ ଦଳ ପକ୍ଷରୁ ତାଙ୍କର ଗିରଫ ଦ।ବି କରାଯାଇଛି ।

ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ସ୍ଥାନୀୟ ଡ଼ିଏଫ୍ଓ ଏବଂ ରେଞ୍ଜରଙ୍କ ବିନା ଅନୁମତିରେ ଅଭୟାରଣ୍ୟରେ ହେଲିକ୍ୟାପ୍ଟରରେ ଓହ୍ଲାଇଛନ୍ତି ବୋଲି ଶୁକ୍ରବାର ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉତ୍ଥାପନ କରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ହରିଆଣାର ଜଣେ ସାଂସଦଙ୍କ ସହ ସେ ଥିଲେ ବୋଲି ଖବରକାଗଜରେ ପ୍ରକାଶ ପାଇଛି । ଏହାବ୍ୟତୀତ ଲୋକଙ୍କ କହିବା ଅନୁଯାୟୀ ସେଠାରେ କୁଟ୍ରା ଶିକାର କରାଯାଇ ହେଲିକ୍ୟାପ୍ଟରକୁ ଅଣାଯାଇଛି ବୋଲି ସେ କହିଥିଲେ ।

ବନ୍ୟପ୍ରାଣୀ ଆଇନ ଅନୁଯାୟୀ ତାଙ୍କୁ ଗିରଫ କରିବା ସହ ବ୍ୟବହାର ହୋଇଥିବା ହେଲିକ୍ୟାପ୍ଟର ଓ ବନ୍ଧୁକ ଜବତ କରାଯାଉ ବୋଲି ସେ କହିଥିଲେ ।

ତେବେ ସାଂସଦ ଏହି ଗୃହର ସଦସ୍ୟ ହୋଇନଥିବାରୁ ତାଙ୍କ ସମ୍ବନ୍ଧରେ ଆଲୋଚନା କରାଯିବା ଠିକ୍ ନୁହେଁ ବୋଲି ବାଚସ୍ପତି କହିବା ସହ ଏହାକୁ ପରୀକ୍ଷା ନୀରିକ୍ଷା କରିବେ ବୋଲି କହିଥିଲେ ।

ତେବେ ଏହି ଅଭିଯୋଗ ସଂପର୍କରେ ସାଂସଦ ପଣ୍ଡା ସ୍ପଷ୍ଟୀକରଣ ଦେଇଛନ୍ତି । ତାଙ୍କ ପକ୍ଷରୁ ତାଙ୍କର ରାଜନୈତିକ ସଚିବଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ବିବୃତ୍ତିରେ କୁହାଯାଇଛି ଯେ ଏୟାରକ୍ରାଫ୍ଟ ଆଇନ ୧୯୩୪ ଅନୁଯାୟୀ ସାତକୋଶିଆ ପ୍ରତିବନ୍ଧିତ ଓ କଟକଣା ଥିବା ନୋ-ଫ୍ଲାଏ ଜୋନ୍ରେ ଆସୁନାହିଁ ।

ଏହାଛଡ଼ା ବଣ୍ୟପ୍ରାଣୀ ସଂରକ୍ଷଣ ଆଇନ ଓ ପରିବେଶ ଆଇନରେ ମଧ୍ୟ ଉଡ଼ାଣ ଉପରେ କୌଣସି ନିର୍ଦ୍ଧିଷ୍ଟ କଟକଣା ନାହିଁ । ସେ ସବୁବେଳେ ପ୍ରଚଳିତ ନୀତିନିୟମ ମାନି ବିମାନ ଉଡ଼ାନ୍ତି । କେବେହେଲେ ନିଷିଦ୍ଧ ଅଞ୍ଚଳରେ ବିମାନ ଉଡ଼ାଇ ନାହାନ୍ତି ।

କୌଣସି ସମୟରେ ସେ ହରିୟାଣାର କୌଣସି ଶିଳ୍ପପତି ସାଂସଦଙ୍କୁ ସାଙ୍ଗରେ ନେଇ ଉଡ଼ି ନାହାନ୍ତି ବୋଲି ଏଭଳି ଅଭିଯୋଗକୁ ଖଣ୍ଡନ କରି ପଣ୍ଡା ଦେଇଥିବା ସ୍ପଷ୍ଟିକରଣରେ କୁହାଯାଇଛି ।

ଓଡିଶା ଡଟ୍ କମ୍

Exit mobile version