Site icon Odisha.com

ବିନା ପ୍ରଶ୍ନପତ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ସମସ୍ତ ଶିଶୁଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାନୁଷ୍ଠାନ ପାଇଁ ସର୍ବ ଶିକ୍ଷା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ବିନା ପ୍ରଶ୍ନପତ୍ରରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବାରୁ ଏ ନେଇ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ପରୀକ୍ଷା ଫି ଆଦାୟ ନକରିବାକୁ ସରକାର ନେଇଥିବା ନିଷ୍ପତ୍ତି ଯୋଗୁଁ ସ୍କୁଲ ଗୁଡ଼ିକରେ ପରୀକ୍ଷା କରିବା ନେଇ ଅସୁବିଧା ଦେଖାଦେଇଛି |

ତେବେ ପଇସା ଅଭାବରୁ କେତେକ ସ୍କୁଲରେ ଏହି ପରୀକ୍ଷା କରାଯାଉନାହିଁ ଓ ଅନ୍ୟ କେତେକ ସ୍କୁଲରେ ବ୍ଲାକବୋର୍ଡ଼ରେ ପ୍ରଶ୍ନ ଲେଖାଯାଇ ପରୀକ୍ଷା ପରିଚାଳନା କରାଯାଉଛି । ବଜାରରୁ ଉତ୍ତରଖାତା କିଣି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉଛି ।

ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ପରୀକ୍ଷା ଫି ଅ।ଦାୟ ନକରିବାକୁ ଶିକ୍ଷା ବିଭାଗ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇନଥିବାରୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ପାଞ୍ଚରୁ ଦଶ ଟଙ୍କା ଲେଖାଏଁ ପରୀକ୍ଷା ଫି ଅ।ଦାୟ କରାଯାଉଥିଲା । ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯୋଗାଇବା ପାଇଁ ଏହି ଟଙ୍କା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ନିକଟରେ ଜମା ରହୁଥିଲା ।

ଉଲ୍ଲେଖଯୋଗ୍ୟ ଯେ ସ୍କୁଲ ଗୁଡ଼ିକରେ ପ୍ରତ୍ୟେକ ବର୍ଷ ୟୁନିଟ୍ ପରୀକ୍ଷା ସହ ଛଅ ମାସିକିଆ ପରୀକ୍ଷା ଓ ବାର୍ଷିକ ପରୀକ୍ଷା କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ୟୁନିଟ୍ ପରୀକ୍ଷା ଓ ଛଅ ମାସିକିଆ ପରୀକ୍ଷା ପାଇଁ ହେଉଥିବା ଖର୍ଚ୍ଚ ଛାତ୍ରଛାତ୍ରୀ ବହନ କରିବାକୁ ଥିବା ବେଳେ ବାର୍ଷିକ ପରୀକ୍ଷା ଖର୍ଚ୍ଚ ସର୍ବଶିକ୍ଷା ଅଭିଯାନ ବହନ କରିବ ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ସେମାନଙ୍କ ଶିଶୁଙ୍କୁ ଅନ୍ୟତ୍ର ଘରୋଇ ସ୍କୁଲରେ ପାଠ ପଢାଇବାକୁଅବିଭାବକମାନେ ଇଚ୍ଛା ପ୍ରକାଶ କରିଛନ୍ତି ।

ପରୀକ୍ଷା ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ଛପାଇବା ଓ ଉତ୍ତର ପତ୍ର ପାଇଁ ସ୍କୁଲ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ କରିବା ନିମନ୍ତେ କୌଣସି ନିୟମ ନାହିଁ । ତେବେ ଅଧିକାଂଶ ସ୍କୁଲ ଶିକ୍ଷକ ପରୀକ୍ଷା ପାଇଁ ବ୍ଲାକବୋର୍ଡ଼ରେ ପ୍ରଶ୍ନ ଲେଖୁଛନ୍ତି ବୋଲି ସର୍ବଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ ନିର୍ମଳ ଚନ୍ଦ୍ର ଦ।ସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version