Site icon Odisha.com

ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି

ଓଡ଼ିଶା ଡ଼ଟ୍ କମ୍ :ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ପ୍ରସଙ୍ଗ ନେଇ ବିରୋଧି କଂଗ୍ରେସ ପକ୍ଷରୁ ସୋମବାର ପୁଣି ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ଶୂନ୍ୟକାଳରେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥି ଓ କଂଗ୍ରେସ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନଙ୍କ ମଧ୍ୟରେ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଯୋଗୁଁ ପ୍ରବଳ ହଟ୍ଟଗୋଳ ହୋଇଥିଲା ।

ଅପରାହ୍ନ ୩ଟାରେ ଗୃହ ପୁଣିଥରେ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଦୀପ ଅମାତ ମହାରଥିଙ୍କ ଠାରୁ ବୈଧାନିକ ପ୍ରଶ୍ନ ଜାଣିବାକୁ ଚାହିଁଥିଲେ । ପାଠ ପଢାକୁ ନେଇ କଂଗ୍ରେସ ସଭ୍ୟ ହରିଚନ୍ଦନ ତାଙ୍କୁ ନିନ୍ଦିତ କରିଛନ୍ତି ବୋଲି ମହାରଥି କହିଥିଲେ ।

ଏଭଳି ଘଟଣାକୁ ଗୃହରେ ପୂନର୍ବାର ନଘଟିବା ଲାଗି ପଦକ୍ଷେପ ନେବା ସହ ହରିଚନ୍ଦନ ଓ ମହାରଥିଙ୍କ ମନ୍ତବ୍ୟକୁ ଅନୁଧ୍ୟାନ କରି ପକ୍ଷେପ ନେବାକୁ ଶାସକ ସଭ୍ୟମାନେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । କଂଗ୍ରେସ ଦଳ ରାହୁଳ ଗାନ୍ଧୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଗୃହରେ ଚଳାଇଥିବା ଅଶାନ୍ତ ପରିସ୍ଥିତିକୁ ଏଡ଼ାଇବା ପାଇଁ ମଧ୍ୟ ସେମାନେ ଅନୁରୋଧ କରିଥିଲେ ।

ଗୃହରେ ମହାରଥି ଚଳିତ ଅଧିବେଶନରେ ବିଭିନ୍ନ ସମୟରେ ଅନେକ ମନ୍ତବ୍ୟ ଦେଇଛନ୍ତି ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ଓ ଆପଣ ତାହା ଅନୁଧ୍ୟାନ କରିପାରିବେ ବୋଲି ହରିଚନ୍ଦନ ଏକ ବୈଧାନିକ ପ୍ରଶ୍ନ ଜରିଆରେ ବାଚସ୍ପତିଙ୍କୁ କହିଥିଲେ ।

ପୂର୍ବରୁ କଂଗ୍ରେସ ସଭ୍ୟଙ୍କ ଗୃହରେ ପ୍ରବଳ ହଟ୍ଟଗୋଳ ଭଳି ଶାସକ ସଭ୍ୟମାନେ ମଧ୍ୟ ଅନୁରୂପ ଭାବେ ହଟ୍ଟଗୋଳ କରିବାରୁ ବାଚସ୍ପତି ମଙ୍ଗଳବାର ୧୦.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version