Site icon Odisha.com

ଫସଲ ହାନୀ ଓ ଘରଭଙ୍ଗା ପାଇଁ କ୍ଷତିପୂରଣ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଲଘୁଚାପ ଜନିତ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଫସଲ ହାନୀ ଓ ଘରଭଙ୍ଗା ପାଇଁ ସହାୟତା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ଏହି ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ଏ ସଂପର୍କରେ ରିପୋର୍ଟ ବୋକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।

ବିଶେଷକରି ଫସଲ ହାନୀ ପାଇଁ ଦୁଇ ହଜାରରୁ ଛଅ ହଜାର ଟଙ୍କା ଏବଂ ଘରଭାଙ୍ଗି ଯାଇଥିଲେ ସଂପୃକ୍ତ କ୍ଷତିଗ୍ରସ୍ତଙ୍କୁ ୧୫ ହଜାରରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ ବୋଲି ଶୁକ୍ରବାର ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ଘୋଷଣା କରିଛନ୍ତି ।

ଗତ ୩୦ ବର୍ଷ ମଧ୍ୟରେ ଡ଼ିସେମ୍ବର ମାସରେ ଏଭଳି ବର୍ଷା ହୋଇନଥିଲା । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ୫୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ ଫସଲ ହାନୀ ହୋଇଥିଲେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୪୦୦୦ ଟଙ୍କା ଓ ଅଣ ଜଳସେଚିତ ଜମି ପାଇଁ ୨୦୦୦ ଟଙ୍କା କୃଷି ଭିତ୍ତିକ ସହାୟତା ପ୍ରଦାନ କରାଯିବ ।

ଏହାର ସର୍ବନିମ୍ନ ପରିମାଣ ୨୫୦ ଟଙ୍କା ରଖାଯାଇଛି । ସେହିପରି ବାରମାସି ଫସଲ ଉତ୍ପାନ ହେଉଥିବା ଅଞ୍ଚଳରେକ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ଛଅ ହଜାର ଟଙ୍କା ଦେବା ପାଇଁ ସ୍ଥିର ହୋଇଛି ।

ଏହାର ସର୍ବନିମ୍ନ ପରିମାଣ ପାଞ୍ଚ ଶହ ଟଙ୍କା ରଖାଯାଇଛି । ବର୍ଷା ଯୋଗୁଁ ପକ୍କା ଘର ସଂପୂଣ୍ଣ ଭାଙ୍ଗି ଯାଇଥିଲେ ୩୫ ହଜାର ଟଙ୍କା, ମାଟି କାନ୍ଥ ଓ ଚାଳ ଘର ପାଇଁ ୧୦ ହଜାର ଟଙ୍କାର ସହାୟତା ଦିଆଯିବ । ଯଦି ପକ୍କା ଘର ଅତିରିକ୍ତ ନଷ୍ଟ ହୋଇଥିବ ତେବେ ଏଥିପାଇଁ ପାଞ୍ଚ ହଜାର ଟଙ୍କା ଏବଂ ଚାଳ ଘର ପାଇଁ ୨୫୦୦ ଟଙ୍କା ସହାୟତା ମିଳିବ ।

ରାଜ୍ୟ ସରକାର କେନ୍ଦ୍ର କୃଷି ମନ୍ତ୍ରଣାଳୟକୁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ରଚଳିତ କୃଷିଭିତ୍ତିକ ସହାୟତାର ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version