Site icon Odisha.com

ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଶୋଇଲେ କଂଗ୍ରେସ ବିଧାୟକ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ବିଧାନସଭାରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର ଗୃହରେ କୌଣସି କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦିତ ହୋଇପାରିନଥିବା ବେଳେ ଜଣେ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଶୋଇପଡ଼ିଥିଲେ ।

ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ନେତା ପୂର୍ବିନ ଭଳି ଆଜି ମଧ୍ୟ କିଛି କହିବା ପାଇଁ ନିଜ ଆସନରେ ଛିଡ଼ା ହୋଇଥିଲେ । ମାତ୍ର ବାଚସ୍ପତି ସେଥିପ୍ରତି ଧ୍ୟାନ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହାର ପ୍ରତିବାରେ ବିରୋଧି ସଦସ୍ୟ ମାନେ ପ୍ଲାକାର୍ଡ଼ ଧରି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳ ବେଳେ ବିଧାୟକ ରାଜେନ୍ଦ୍ର ଛତ୍ରିଆ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଆସି ଶୋଇପଡ଼ିଥିବା ବେଳେ ଦୁଷ୍ମନ୍ତ ନାୟକ ପୋଡ଼ିୟମକୁ ଲାଗିଥିବା କାଠବାଡ଼ ଉପରେ ଛିଡ଼ା ହୋଇଯାଇଥିଲେ ।

ଏଭଳି ପରିସ୍ଥିତିରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଚାଲିପାରିନଥିଲା । ଫଳରେ ବାଚସ୍ପତି ୧୦ଟା ୪୩ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଏହାପରେ ବାଚସ୍ପତି ପୁଣିଥରେ ଆସନକୁ ଆସି ସ୍ୱତନ୍ତ୍ର ଉଲେଖ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ବିରୋଧି ସଭ୍ୟମାନେ ପୁଣି ହଟ୍ଟଗୋଳ ଆରମ୍ଭ କରିଥିଲେ ମଧ୍ୟ ବାଚସ୍ପତିଙ୍କ ନିଦେ୍ର୍ଧଶକ୍ରମେ ଶାସକ ବିଧାୟକମାନେ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ ।

ହଟ୍ଟଗୋଳ ଯୋଗୁଁ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇପାରୁ ନାହିଁ । ପ୍ରଥମେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଚେଷ୍ଟା କରାଯାଉ ନଚେତ୍ ବିଧାନସଭାକୁ ସାଇନଡ଼ାଏ କରାଯାଉ ବୋଲି ଏନ୍ସିପି ବିଧାୟକ ଅମର ସତପଥି ଦାବି କରିଥିଲେ ।

ବିରୋଧି ବିଧାୟକମାନେ ପୁଣି ହଟ୍ଟଗୋଳ କରିବାରୁ ବାଚସ୍ପତି ୧୨ଟା ୪୫ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଅପରାହ୍ନ ଅଧିବେଶନରେ ପୁଣି ଅନୁରୂପ ପରିସ୍ଥିତି ସୃଷ୍ଟି ହେବାରୁ ଆସନ୍ତାକାଲି ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version