Site icon Odisha.com

ସରକାରଙ୍କ ବରଖାସ୍ତ ଦାବିରେ କଂଗ୍ରେସର ସମାବେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବରଖାସ୍ତ ଦାବି କରି କଂଗ୍ରେସ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ସମାବେଶର ଆୟୋଜନ କରାଯାଇଛି ।

ଏହି ସମାବେଶରେ ବରିଷ୍ଠ କଂଗ୍ରେସ ନେତା ତଥା କେନ୍ଦ୍ରମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର କର୍ମୀ, ନେତାମାନେ ଯୋଗ ଦେଇଛନ୍ତି ।

କର୍ମୀମାନେ ସାତଟି ସ୍ଥାନରୁ ର୍ୟାଲିରେ ବାହାରି ପିଏମ୍ଜି ଛକ ଠାରେ ଆୟୋଜିତ ସମାବେଶରେ ଏକତ୍ରିତ ହୋଇଥିଲେ । ଦଳୀୟ କର୍ମୀମାନେ ସରକାର ବିରୋଧି ସ୍ଲୋଗାନ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଉପସ୍ଥିତ ନେତାମାନେ ବେଦାନ୍ତ ପ୍ରସଙ୍ଗଠୁ ଆରମ୍ଭ କରି ସରକାର କିପରି ରାଜ୍ୟକୁ ଲୁଟୁଛନ୍ତି ସେ ସଂପର୍କରେ କର୍ମୀ ମାନଙ୍କୁ ଅବଗତ କରିବା ସହ ନବୀନ ହଟାଅ ଆନ୍ଦୋଳନ ଯୋରଦାର କରିବାକୁ ଆହ୍ୱାନ ଦେଇଥିଲେ ।

କେନ୍ଦ୍ର ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି କିନ୍ତୁ ସରକାର ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଅର୍ଥର ବ୍ୟାପକ ହରିଲୁଟ କରୁଛନ୍ତି । ଏ ସଂପର୍କରେ ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରିଛନ୍ତି ବୋଲି ନାରାୟଣସ୍ୱାମୀ କହିଥିଲେ ।

କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାଜ୍ୟକୁ ଦେଉଥିବା ଅର୍ଥ ଖର୍ଚ୍ଚ ଉପରେ ତଦାରଖ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ।

ସରକାରଙ୍କୁ ହଟାଇବା ପାଇଁ ଆନ୍ଦୋଳନ ଯୋରଦାର କରାଯିବ । ଆଗାମୀ ନେତାଜୀ ଜୟନ୍ତୀ ଦିନ ଓଡ଼ିଶା ବନ୍ଦ ଡ଼ାକରା ପାଇଁ ବ୍ୟବସ୍ଥା କରାଯିବ ବୋଲି ପିସିସି ସଭାପତି କେ.ପି.ସିଂହଦେଓ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version