Site icon Odisha.com

ବିରଞ୍ଚି ଦାସ ହତ୍ୟା ମାମଲା: ରାଜା, ଚଗଲା ଦୋଷୀ ସାବ୍ୟସ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ଜୁଡ଼ୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତ ରାଜା ଆଚାର୍ଯ୍ୟ ଓ ସହଯୋଗୀ ଚଗଲାକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭୁବନେଶ୍ୱର ଫାଷ୍ଟ ଟ୍ରାକ୍ କୋର୍ଟ-୩ ବିଚାରପତି ବିବେକାନନ୍ଦ ଦାସ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଆସନ୍ତା ୧୭ ତାରିଖରେ ଦଣ୍ଡାଦେଶ କରାଯିବ । ବିରଞ୍ଚିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପ୍ରମାଣିତ ହୋଇଛି । ଗତ ୨୦୦୮ ଅପ୍ରେଲ ୧୩ରେ ପଣା ସଂକ୍ରାନ୍ତି ସଂଧ୍ୟାରେ କଳ୍ପନା ଛକ ସ୍ଥିତ ଜୁଡ଼ୋ ହଲରେ ବିରଞ୍ଚିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ଆଚାର୍ଯ୍ୟର ସହଯୋଗୀ ଚଗଲା ଓରଫ୍ ଅକ୍ଷୟ ବେହେରା ୨୦୦୮ ଅପ୍ରେଲ ୨୯ ତାରିଖରେ ଭୋପାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ।

ସେହିପରି ମଇ ୫ ତାରିଖରେ ରାଜା ଆଚାର୍ଯ୍ୟ ଗୋଆର ପାନାଜି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଭୁବନେଶ୍ୱର ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୦୯ ଜାନୁୟାରୀ ୧ରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା ।

ମୋଟ୍ ୨୯ ଜଣ ସାକ୍ଷୀ ଓ ପାଞ୍ଚ ଜଣ ପ୍ରତ୍ୟକ୍ଷର୍ଶୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ରାୟ ପରିପ୍ରେକ୍ଷୀରେ କୋର୍ଟ ପରିସର ଓ ବାହାରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ଓ କୋର୍ଟ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version