Site icon Odisha.com

ବେଦାନ୍ତ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସରକାରଙ୍କ ଲିଭ୍ ପିଟିସନ୍

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲାରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସରକାର ବୁଧବାର ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ ପିଟିସନ୍ ଦାଏର କରିଛନ୍ତି ।

ବିଶ୍ୱବିଦ୍ୟାଳୟ ପାଇଁ କରାଯାଇଥିବା ଜମି ଅଧିଗ୍ରହଣ ବେଆଇନ ନୁହେଁ ବୋଲି ଏଥିରେ ଦର୍ଶାଯାଇଛି । ଆଇନ ବିଭାଗ ଓ ଆଟର୍ଣ୍ଣି ଜେନେରାଲଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ କହିଛନ୍ତି ।

ବିଶ୍ୱବିଦ୍ୟାଳୟ ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ଏବଂ ଏହା ବୈଧ ନୁହେଁ ବୋଲି ଦର୍ଶାଇ ଗତ ନଭେମ୍ବର ୧୬ରେ ଓଡ଼ିଶା ହାଇକୋର୍ଟ ଜମି ମାଲିକଙ୍କୁ ସେମାନଙ୍କ ଜମି ଫେରାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ଼ ଏବଂ ବିଚାରପତି ବି.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଥିଲେ । ଜମି ହରାଇଥିବା କେତେକ ଲୋକ ଏହି ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ ।

ପ୍ରବାସୀ ଭାରତୀୟ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ଦ୍ଵାରା ପ୍ରତିଷ୍ଠିତ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପୁରୀ କୋଣାର୍କ ନିକଟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଯାଉଛି ।

ଏହି ବିଶ୍ୱବିଦ୍ୟାଳୟ ପାଇଁ ଛଅ ହଜାର ଏକରରୁ ଉର୍ଦ୍ଧ୍ଵ ଜମି କମ୍ପାନୀ ଚାହିଁଥିବା ବେଳେ ଏଥିପାଇଁ ୧୫ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ କମ୍ପାନୀ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖିନ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version