Site icon Odisha.com

ସାମ୍ବାଦିକଙ୍କ ସମସ୍ୟାର ସମାଧାନ ପାଇଁ ଗୃହକମିଟି ଗଠନ ଦାବୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ସାମ୍ବାଦିକ ମାନଙ୍କୁ ସରକାରୀ ଗୃହ ଯୋଗାଣ, ଅଧିସ୍ୱୀକୃତି ପ୍ରଦାନ, ଚାକିରୀଗତ ସର୍ତ୍ତାବଳୀ ନିର୍ଦ୍ଧାରଣ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରିବାକୁ ବିଧାନସଭାରେ ଦାବୀ ହୋଇଛି ।

ବୁଧବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧି ବିଧାୟକ ମାନେ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ । ବିରୋଧି ଦଳ ନେତା ଭୂପିନ୍ଦର ସିଂହ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ।

ଗଣମାଧ୍ୟମ ଯୋଗୁଁ ସାଧାରଣ ଲୋକଙ୍କ ପାଖରେ ସରକାରଙ୍କ ବାର୍ତ୍ତା ପହଞ୍ଚି ପାରୁଛି ଓ ସରକାରଙ୍କ ପାଖରେ ସାଧାରଣ ଲୋକଙ୍କ ଅଭାବ,ଅସୁବିଧା ପହଞ୍ଚୁଛି । ତେଣୁ ଗଣମାଧ୍ୟମ ପ୍ରତିନିଧିଙ୍କ କଥା ବିଚାର ହେବା ଦରକାର ।

ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦଦାତା ମାନେ ସରକାରୀ ବାସଗୃହ ପାଇପାରୁନାହାନ୍ତି । ଯୋଗ୍ୟ ସାମ୍ବାଦିକ ମାନଙ୍କୁ ତୁରନ୍ତ ଏହା ଯୋଗାଇ ଦେବା ଆବଶ୍ୟକ । ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ସରକାର ପଦକ୍ଷେପ ନେବାକୁ ବିଜେଡ଼ିର ପ୍ରଦୀପ ମହାରଥୀ ଦାବି କରିଥିଲେ ।

ସରକାର ଚାଷୀ, ଶ୍ରମିକ, ବିଧାୟକ, କର୍ମଚାରୀ ସମସ୍ତଙ୍କ କଥା ବିଚାର କରୁଛନ୍ତି ମାତ୍ର ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ସାମ୍ବାଦୀକ ମାନଙ୍କ କଥା କେହି ବିଚାରକୁ ନେଉନାହାନ୍ତି । ପେନସନ ବ୍ୟବସ୍ଥା ଘୋଷଣା ହୋଇଥିଲେ ବି କାର୍ଯ୍ୟକାରୀ ହେଉନାହିଁ ବୋଲି ଶୂନ୍ୟକାଳରେ ସ୍ୱତନ୍ତ୍ର ଉଲ୍ଲେଖ ମାଧ୍ୟମରେ ବିଜେଡ଼ି ବିଧାୟକ ଅନନ୍ତ ଦାସ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version