Site icon Odisha.com

ବିରଞ୍ଚି ହତ୍ୟା ମାମଲା: ରାଜା, ଚଗଲାକୁ ଆଜୀବନ କାରାଦଣ୍ଡ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ଜୁଡ଼ୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ସ୍ଥାନୀୟ ଏକ ଆଲତ ଶୁକ୍ରବାର ଅଭିଯୁକ୍ତ ରାଜା ଆଚାର୍ଯ୍ୟ ଓ ତାର ସହଯୋଗୀ ଚଗଲାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଭୁବନେଶ୍ୱର ଫାଷ୍ଟ ଟ୍ରାକ୍ କୋର୍ଟ-୩ ବିଚାରପତି ବିବେକାନନ୍ଦ ଦାସ ଉଭୟଙ୍କୁ ଏହି ଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି । ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ।

ସରକାରୀ ଓକିଲ ଉଭୟଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଯୁକ୍ତି ବାଢିଥିବା ବେଳେ ରାଜାର ଓକିଲ ଦଣ୍ଡ କୋହଳ କରିବାକୁ ଯୁକ୍ତି ବାଢିଥିଲେ । ଉଭୟ ଓକିଲଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ଏହି ଦଣ୍ଡାଦେଶ କରିଛନ୍ତି ।

ଏହି ମାମଲାର ବିଚାର କରି ବିଚିାରପତି ଗତ ୧୩ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଗତ ୨୦୦୮ ଅପ୍ରେଲ ୧୩ରେ ପଣା ସଂକ୍ରାନ୍ତି ସଂଧ୍ୟାରେ କଳ୍ପନା ଛକ ସ୍ଥିତ ଜୁଡ଼ୋ ହଲରେ ବିରଞ୍ଚିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ହତ୍ୟାକାଣ୍ଡ ପରେ ଉଭୟେ ଫେରାର୍ ହୋଇଯାଇଥିଲେ । ପରେ ଚଗଲା ଓରଫ୍ ଅକ୍ଷୟ ବେହେରା ଅପ୍ରେଲ ୨୨ ତାରିଖରେ ଭୋପାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ।

ସେହିପରି ମଇ ୫ ତାରିଖରେ ରାଜା ଆଚାର୍ଯ୍ୟ ଗୋଆର ପାନାଜି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଭୁବନେଶ୍ୱର ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

୨୦୦୯ ଜାନୁୟାରୀ ୧ରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା । ମୋଟ୍ ୨୯ ଜଣ ସାକ୍ଷୀ ଓ ପାଞ୍ଚ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା ।

ଦଣ୍ଡାଦେଶ ପରିପ୍ରେକ୍ଷୀରେ କୋର୍ଟ ପରିସର, ବାହାରେ ଏବଂ ଜୁଡ଼ୋହଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version