Site icon Odisha.com

ସମସ୍ତ ବିଭାଗ ପାଇଁ ଗୋଟିଏ ଶୁଳ୍କ ବିହୀନ ହେଲ୍ପଲାଇନ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ ବିଭାଗ ପାଇଁ ଗୋଟିଏ ଶୁଳ୍କ ବିହୀନ ହେଲ୍ପଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ଓ ଆସନ୍ତା ୨୦୧୧ ଫେବୃୟାରୀ ମାସରୁ ରାଜ୍ୟରେ ଡ଼ାଟା ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରମେଶ ମାଝୀ ଶନିବାର ବିଧାନସଭାରେ କହିଛନ୍ତି ।

ବିଭିନ୍ନ ବିଭାଗ ଗୁଡ଼ିକରେ ବର୍ତ୍ତମାନ ଅନେକ ହେଲ୍ପଲାଇନ କାର୍ଯ୍ୟକାରୀ ହେଉଛି । କିନ୍ତୁ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଗୋଟିଏ ହେଲ୍ପଲାଇନ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସଂଯୋଗ ହେଲ୍ପଲାଇନ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ । ସେହିପରି ବିଭାଗ ଗୁଡ଼ିକରେ ସ୍ୱଚ୍ଛତା ଆଣିବା ପାଇଁ ଇ-ଡ଼େସ୍ପାଚ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଜ୍ୟ ସ୍ତରୀୟ ଡ଼ାଟା ସେଣ୍ଟର ପ୍ରତିଷ୍ଠା ପାଇଁ ୫୪ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ଏହା ଓକାକ୍ ରେ ହେବ । ସେହିପରି ୮୫୫୮ଟି କମନ ସର୍ଭିସ ସେଣ୍ଟର ମାଧ୍ୟମରେ ଜନ ସାଧାରଣଙ୍କୁ ସମସ୍ତ ଆବଶ୍ୟକୀୟ ସେବା (ରେଳ ଟିକେଟ କ୍ରୟ, ସରକାରୀ ବିଲ ପୈଠ) ଆଦି ଯୋଗାଇ ଦିଆଯିବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version