Site icon Odisha.com

ସାତକୋଶିଆରେ ହେଲିକ୍ୟାପ୍ଟର ଉଡ଼ାଣ, ନବୀନଙ୍କୁ ରମେଶଙ୍କ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ସାତକୋଶିଆ ଅଭୟାରଣ୍ୟରେ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକ୍ୟାପ୍ଟର ଉଡ଼ାଣ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।

ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ଏହା ଏକ ଅପରାଧ ହୋଇଥିବାରୁ ଏ ସଂର୍ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ଶନିବାର ଦେଇଥିବା ଚିଠିରେ ପରାମର୍ଶ ଦେଇଛନ୍ତି ।

ଅଭୟାରଣ୍ୟରେ କମ୍ ଉଚ୍ଚରେ ହେଲିକ୍ୟାପ୍ଟର ଉଡ଼ାଣ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଏହା ବ୍ୟତୀତ ସାତକୋଶିଆ ଅଭୟାରଣ୍ୟ ଭିତରେ ପର୍ଯ୍ୟଟନ କେନ୍ଦ୍ର ରହିଥିବା ସଂପର୍କରେ ମଧ୍ୟ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟରେ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ରେ ସଂଶୋଧନ କରାଯାଇଛି ବୋଲି ସେ କହିଛନ୍ତି ।

ଏସଂପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ରମେଶ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version