Site icon Odisha.com

ଚାଷୀଙ୍କ ସହାୟତା ପ୍ୟାକେଜ ଯଥେଷ୍ଟ ନୁହେଁ: ଶାସକ, ବିରୋଧି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ଅଦିନିଆ ବର୍ଷା ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ସରକାର ଘୋଷଣା କରିଥିବା କ୍ଷତିପୂରଣ ପ୍ୟାକେଜ ଗ୍ରହଣୀୟ ନୁହେଁ ବୋଲି ଉଭୟ ଶାସକ ଓ ବିରୋଧି ବିଧାୟକମାନେ ଅଭିଯୋଗ କରିଛନ୍ତି ।

ବର୍ଷା ଯୋଗୁଁ ରଙ୍ଗ ବଦଳିଯାଇଥିବା ଧାନର ବିକ୍ରୀ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ମଙ୍ଗଳବାର ସେମାନେ ବିଧାନସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି ।

କ୍ଷତିଗ୍ରସ୍ତ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବହୁତ କିଛି ଆଶା କରୁଥିଲେ ମାତ୍ର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିରାଶ କରିଛନ୍ତି ।

ସହାୟତା ଦେବା ପାଇଁ ସେ ଆନ୍ତରିକତା ପ୍ରଦର୍ଶନ କଲେ ନାହିଁ ବୋଲି ଶୂନ୍ୟକାଳରେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ କରିଥିଲେ ।

ଯାହା ସବୁ ସହାୟତା ଘୋଷଣା କରିଛନ୍ତି ତାହା ପ୍ରଚଳିତ ରିଲିଫ କୋଡ଼୍ ରୁ ଉର୍ଦ୍ଧ୍ଵରେ ନୁହେଁ । ଏଭଳି ଆଶଂକା କରି ବିରୋଧି ଦଳ ଏକ ଗୃହ କମିଟି ଗଠନ କରିବାକୁ ପୂର୍ବରୁ ଦାବୀ କରିଥିଲା । ତାହାକୁ ସରକାର ଗ୍ରହଣ କଲେ ନାହିଁ ବୋଲି ସେ କହିଥିଲେ ।

ସରକାର ଚାଷୀଙ୍କୁ ନିରାଶ କରିଛନ୍ତି । ଦେଶରେ ଯେଉଁସବୁ ରାଜ୍ୟରେ ବିଜେପି ଶାସନ କରୁଛି ସେଠାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୋନସ୍ ଦିଆଯାଉଛି । ଓଡ଼ିଶାରେ ମଧ୍ୟ ତାହା କରାଯାଉ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ ।

ଘୋଷିତ ପ୍ୟାକେଜରେ ଚାଷୀମାନେ ବାସ୍ତବରେ ଉପକୃତ ହୋଇ ପାରିବେ ନାହିଁ । ଆଗାମୀ ଦିନରେ ଚାଷୀ ମାନେ କିପରି ରବି ଚାଷ ମାଧ୍ୟମରେ ଉପକୃତ ହୋଇପାରିବେ ତାହା ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ନାହିଁ । ସରକାର ଚାଷୀଙ୍କ ପାଇଁ ଅଧିକ ସହାୟତା ଘୋଷଣା କରନ୍ତୁ ବୋଲି ବିଜେଡ଼ି ବିଧାୟକ ପ୍ରଦୀପ ମହାରଥି କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version