Site icon Odisha.com

ପଠାଣି ପଟ୍ଟନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପଠାଣି ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

“ଜୀବନର ଚଲାପଥେ’ ଆତ୍ମଜୀବନୀ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ସହ ପୁରସ୍କାର ବାବଦରେ ତାଙ୍କୁ ଏକ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ।

୧୯୨୮ ସେପ୍ଟେମ୍ବର ୨୯ରେ ଜନ୍ମଗ୍ରହଣ କରିଥିବା ପଟ୍ଟନାୟକ ତାଙ୍କ ଲେଖନୀ ପାଇଁ ୧୯୯୩ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୯୪ରେ ସାରଳା ସମ୍ମାନ, ୨୦୦୧ରେ ସାହିତ୍ୟ ଭାରତୀ ସମ୍ମାନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି ।

ପୁରୀରେ ହାଇସ୍କୁଲ ଓ କଲେଜ ଶିକ୍ଷା ସମାପ୍ତ କରିବା ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଡ଼ିଗ୍ରି ହାସଲ କରିଥିଲେ । ୧୯୫୪ରୁ ଅଧ୍ୟାପନା ବୃତ୍ତିରେ ପ୍ରବେଶ କରି ୧୯୫୪ରୁ ୧୯୮୨ ପର୍ଯ୍ୟନ୍ତ ଖ୍ରୀଷ୍ଟ କଲେଜ ଅଧ୍ୟାପକ ଓ ୧୯୮୨ରୁ ୧୯୮୮ ପର୍ଯ୍ୟନ୍ତ ଏହି କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଜଣେ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ସେ ୨୪ଟି ପ୍ରବନ୍ଧ ଓ ୧୩ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version