Site icon Odisha.com

ଶୀତ ଅଧିବେଶନ ଶେଷ, ଅନିର୍ଦ୍ଧିଷ୍ଟ କାଳପାଇଁ ମୁଲତବି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଚତୁର୍ଦ୍ଧଶ ବିଧାନସଭାର ପଞ୍ଚମ ଅଧିବେଶନ ଶେଷ ହୋଇଥିବା ବେଳେ ବାଚସ୍ପତି ପ୍ରଦୀପ ଅମାତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ନଭେମ୍ବର ୨୩ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ମୋଟ୍ ୨୪ଟି କାର୍ଯ୍ୟ ଦିବସ ସହ ବୁଧବାର ଶେଷ ହୋଇଛି । ଚଳିତ ଅଧିବେଶନ ସଂପୂର୍ଣ୍ଣ ୬୦ ଦିନ ବସିପାରିଥିଲା ।

ଅଦିନିଆ ବର୍ଷା ଯୋଗୁଁ ଦେଖାଦେଇଥିବା ଚାଷୀ ସମସ୍ୟା ଏବଂ ବେଦାନ୍ତ ପ୍ରସଙ୍ଗକୁ ନେଇ ଅଧିବେଶନରେ ସରଗରମ ଆଲୋଚନା ହୋଇଥିଲା । ଶାସକ ଓ ବିରୋଧି ଦଳଙ୍କ ପରସ୍ପର ଦୋଷାରୋପ ଯୋଗୁଁ ଗୃହ କାର୍ଯ୍ୟ ବ୍ୟାହତ ହୋଇଥିଲା ।

ଅଧିବେଶନ ଆରମ୍ଭରୁ ବେଦାନ୍ତ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ବିରୋଧି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ବେଶ୍ କିଛି ଦିନ ଗୃହ ଅଚଳ ରହିଥିଲା ।

ଏସଂପର୍କରେ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା ଓ ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ଦେଇଥିଲେ । କିନ୍ତୁ ଏହି ଉତ୍ତରରେ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ରାୟ ସସଂପର୍କରେ ମନ୍ତବ୍ୟ ଦେଇଥିବାରୁ ବିରୋଧିମାନେ ତାଙ୍କ ବିରୋଧରେ ସ୍ୱାଧିକାରଭଙ୍ଗ ନୋଟିସ ଦେଇଥିଲେ ।

ଅଧିବେଶନ ସମୟରେ ବିରୋଧିଙ୍କ ହଟ୍ଟଗୋଳ ବେଳେ କଂଗ୍ରେସ ସଦସ୍ୟ ରାଜେନ୍ଦ୍ର ଛତ୍ରିଆ ବାଚସ୍ପତିଙ୍କ ଟେବୁଲ ଉପରେ ଶୋଇପଡ଼ିଥିଲେ । ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଟିପ୍ପଣୀକୁ ବିରୋଧ କରି ସଭ୍ୟ ସନ୍ତୋଷ ସିଂ ସାଲୁଜା ବାଚସ୍ପତିଙ୍କ ଉପରକୁ ପେନ ଷ୍ଟାଣ୍ଡ ଫିଙ୍ଗିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version