Site icon Odisha.com

ବିଧାନସଭା ଶେଷ ପରେ ସଚିବାଳୟ ମନ୍ତ୍ରୀ ଶୂନ୍ୟ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଚଳିତ ଚତୁର୍ଦ୍ଧଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ବୁଧବାର ସମାପ୍ତ ହେବା ପରେ ମନ୍ତ୍ରୀମାନେ ସଚିବାଳୟ ଆସିନଥିବାରୁ ଗୁରୁବାର ମନ୍ତ୍ରୀ କରିଡ଼ର ଖାଁଖାଁ ଲାଗିଛି ।

କେବଳ ମନ୍ତ୍ରୀ ନୁହନ୍ତି ସେମାନଙ୍କ ଅଧସ୍ତନ କର୍ମଚାରୀମାନେ ମଧ୍ୟ ସଚିବାଳୟ ଆସିବାକୁ ପସନ୍ଦ କରିନାହାନ୍ତି । ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେ ପ୍ରତିବର୍ଷ ଦିଲ୍ଲୀରେ ବଡ଼ିନ କଟାଇଥାନ୍ତି ।

ସେହିପରି ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ରାଜ୍ୟ ବାହାରକୁ ଯାଇଛନ୍ତି । ତ୍ରିପୁରାରେ ଅର୍ଥମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବାକୁ ସେ ଯାଇଛନ୍ତି । ବୟନଶିଳ୍ପ ମନ୍ତ୍ରୀ ଅଞ୍ଜଳୀ ବେହେରା ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ବେଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶାରା ନାୟକ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇଛନ୍ତି ।

ଶକ୍ତି ମନ୍ତ୍ରୀ ଅତନୁ ନାୟକ ନିଜ ନିର୍ବାଚନ ମଣ୍ଡଳୀ ଯାଇଥିବା ବେଳେ ବିଜ୍ଞାନ କାରିଗରୀ ମନ୍ତ୍ରୀ ରମେଶ ମାଝୀ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଛନ୍ତି ।

ଶିଳ୍ପ ମନ୍ତ୍ରୀ ରଘୁନାଥ ମହାନ୍ତି ବାଲେଶ୍ୱର ଜିଲ୍ଲା ଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଞ୍ଝାରପୁର, ଶ୍ରମ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହେଓ ନିଜ ନିର୍ବାଚନ ମଣ୍ଡଳୀ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଅନଙ୍ଗ ଉୟ ସିଂଦେଓ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି ।

କେବଳ ମନ୍ତ୍ରୀ ନୁହନ୍ତି ରାଜଧାନୀରେ ବିଧାୟକଙ୍କୁ ମଧ୍ୟ ଦେଖିବାକୁ ମିଳୁନାହିଁ । ସମସ୍ତେ ପ୍ରାୟ ନିଜ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଛନ୍ତି କିମ୍ବା ପ୍ରମୋଦ ଗସ୍ତରେ ଯାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version