Site icon Odisha.com

ସିଧାସଳଖ ଡ଼ିଏସ୍ପି ନିଯୁକ୍ତିକୁ କ୍ୟାବିନେଟ ଅନୁମୋଦନ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୩୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ପୋଲିସ ସେବା(ଓପିଏସ୍)ରେ ସିଧାସଳଖ ଡ଼ିଏସ୍ପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ପ୍ରସ୍ତୁତ ନୀୟମାବଳୀକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାସହ ବୈଠକରେ ଅନ୍ୟ ନଅଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଥିବା ଆଇନ ଅନୁସାରେ ଡ଼ିଏସ୍ପି ପଦବି ପାଇଁ ସିଧାସଳଖ ନିଯୁକ୍ତିରେ ସର୍ବାଧିକ ୧୫ ଜଣଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ସଂଶୋଧିତ ନିୟମ ଅନୁସାରେ ଏହି ସୀମାକୁ ପଚାଶ ପ୍ରତିଶତକୁ ବୃଦ୍ଧି କରାଯାଇଛି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

ଏଣିକି ସିଏଜି ରିପୋର୍ଟ ଭଳି ଲୋକାଲ ଫଣ୍ଡ ଅଡ଼ିଟ ମଧ୍ୟ ବିଧାନସଭାରେ ଉପସ୍ଥାପିତ ହେବ । ପୂର୍ବରୁ କେବଳ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଉଥିଲା ।

ପ୍ରସ୍ତାବିତ ଓଡ଼ିଶା ମେରିଟାଇମ ବୋର୍ଡ଼ର ସଦସ୍ୟ ସଂଖ୍ୟା ୧୨ରୁ ୧୫କୁ ବୃଦ୍ଧି କରାଯିବ । ରାଜ୍ୟ ସ୍ତରୀୟ ମେରିଟାଇମ ବୋର୍ଡ଼ ଗଠନ ପାଇଁ ଗତ ଜୁନ୍ ମାସରେ ମନ୍ତ୍ରୀ ମଣ୍ଡଳ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୋର୍ଡ଼ରେ ସରକାରଙ୍କ ଅଧିନରେ ଥିବା ବିଭିନ୍ନ ସରକାରୀ ବିଭାଗର ୧୨ ଜଣ ଅଫିସରଙ୍କୁ ସଦସ୍ୟ ଭାବେ ନିଆଯିବ ।

କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଏହି ବୋର୍ଡ଼ରେ ଭାରତୀୟ ନୌବାହିନୀ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯିବ ।

ଓଡ଼ିଶା ସୁପିରିୟର ଜୁଡ଼ିସିଆଲ୍ ସର୍ଭିସ ରୁଲର ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପୂର୍ବରୁ ବରିଷ୍ଠ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ୫୦ ପ୍ରତିଶତ ତଳ ପାହ୍ୟାରୁ ପଦୋନ୍ନତି ଦିଆଯାଉଥିଲା ।

ଅବଶିଷ୍ଟ ପଚାଶରୁ ପଚିଶ ପ୍ରତିଶତ ଓକିଲଙ୍କ ମଧ୍ୟରୁ ନିଆଯାଉଥିଲା । ସଂଶୋଧିତ ନିୟମ ଅନୁଯାୟୀ ଏଣିକି ପଦୋନ୍ନତି ଭିତ୍ତିରେ ୬୫ ପ୍ରତିଶତ ପଦବି ପୂରଣ ହେବ ।

କଲେଜ ଅଧ୍ୟାପକ ମାନଙ୍କୁ ଗ୍ରାଣ୍ଟ-ଇନ୍ ଏଡ଼୍ ଦେବା ପାଇଁ ଭାଲିଡ଼େସନ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version