Site icon Odisha.com

ଘରୋଇ ଖଣିରୁ ଉତ୍ପାଦିତ ଲୁହାପଥର ଚାଲାଣ ଉପରେ ଅଂକୁଶ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଘରୋଇ ମାଲିକାନାରେ ଥିବା ଖଣି ଗୁଡ଼ିକରୁ ଉତ୍ପାଦିତ ଲୁହାପଥର ଓ କ୍ରୋମ ପଥର ବିଶେକୁ ଚାଲାଣ ଉପରେ ଅଂକୁଶ ଲଗାଇବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ନିଷ୍ପତ୍ତି ଅନୁଯାୟୀ ଘରୋଇ ଖଣିରୁ ଉତ୍ପାଦିତ ଖଣିଜ ପଦାର୍ଥର ୬୦ ପ୍ରତିଶତ କେବଳ ଓଡ଼ିଶାରେ ବିନିଯୋଗ ହେବ ।

ସଂପୃକ୍ତ ଖଣି ମାଲିକଙ୍କ ଶିଳ୍ପରେ ବ୍ୟବହୃତ ହେବ । ପ୍ରକ୍ରିୟାକରଣ କିମ୍ବା ଶିଳ୍ପ ନଥିଲେ ସେମାନେ ରାଜ୍ୟରେ ଥିବା ଅନ୍ୟ ଖଣିଜ  ପଦାର୍ଥ  ବିନିଯୋଗକାରୀ ସଂସ୍ଥାକୁ ବିକିବାକୁ ସେମାନେ ବାଧ୍ୟ ହେବେ ।

ବାକି ୪୦ ପ୍ରତିଶତ ଉତ୍ପାଦିତ ଖଣିଜ ପଦାର୍ଥକୁ ସେମାନେ ଦେଶ ମଧ୍ୟରେ ଥିବା ଶିଳ୍ପ ସଂସ୍ଥାକୁ ବିକ୍ରୟ କରିପାରିବେ । ସେଥିପାଇଁ ମାଲିକମାନେ ସରକାରଙ୍କୁ ଲିଖିତ ଭାବରେ ଅବଗତ କରାଇବା ପାଇଁ ବାଧ୍ୟ ହେବେ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ରଘୁନାଥ ମହାନ୍ତି ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ମଙ୍ଗଳବାର ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଖଣିଜ ପଦାର୍ଥ ଚାଲାଣ କରୁଥିବା ଟ୍ରକ ସଂଖ୍ୟା ମଧ୍ୟ ସୀମିତ ରହିବ ।

ଯେଉଁ ଖଣି ମାଲିକ ମାନଙ୍କର ପରବର୍ତ୍ତି ପ୍ରକ୍ରିୟାକରଣ ବ୍ୟବସ୍ଥା ନାହିଁ କିମ୍ବା ଖଣିଜ ଶିଳ୍ପ ଭିତ୍ତିକ ଶିଳ୍ପ ନାହିଁ ସେମାନେ ହିଁ ଅଧିକ ପରିମାଣରେ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଛନ୍ତି ।

ଏପରିକି ସେମାନେ ସିଧାସଳଖ ବିଶେକୁ ଉତ୍ପାଦିତ ଖଣିଜ ପଥର ପଠାଇ ଦେଉଛନ୍ତି । ଯାହା ଫଳରେ ରାଜ୍ୟ ପାଇଁ ବହୁ ପରିମାଣର ରାଜସ୍ୱ ହାନୀ ହେଉଥିବା ବେଳେ ବେକାରୀ ସମସ୍ୟା ମଧ୍ୟ ବୃଦ୍ଧି ହୋଇଚାଲୁଥିଲା । ବହୁ ବିଳମ୍ବରେ ହେଲେ ମଧ୍ୟ ସରକାର ତାହାକୁ ଉପଲବ୍ଧ କରି ଏହି ପକ୍ଷେପ ଗ୍ରହଣ କରିଛନ୍ତି, ସେ କହିଛନ୍ତି ।

ଏଭଳି ନିଷ୍ପତ୍ତି ସଂକ୍ରାନ୍ତୀୟ ଚିଠା ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ତାହାକୁ ମୁଖ୍ୟମନ୍ତ୍ରୀଙ୍କ ଅବଗତ ଏବଂ ଅନୁମୋନ ନିମନ୍ତେ ପଠାଯିବ । ଅନୁମୋଡନ ପରେ ତାହାକୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version