ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ବଲାଙ୍ଗୀର, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ବଲାଙ୍ଗିର ଜିଲ୍ଲା ଖଇରଗୁଡ଼ା ଠାରେ ମଙ୍ଗଳବାର ପାରମ୍ପରିକ ପ୍ରଥାରେ ଆରମ୍ଭ ହୋଇଥିବା ଶୁଲିଆ ଯାତ୍ରାରେ ବଳି ଦିଆଯାଇଛି ।
ସକାଳୁ ଯାତ୍ରାପୀଠ ବଡ଼ଖଳାଠାରେ କୌଣସି ବଳି ଦିଆଯାଇ ନଥିଲେ ବି ସେଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏକ ନୂଅାଁ ଖଳାରେ ଆଦିବାସୀମାନେ ପୂଜାର୍ଚ୍ଚନା କରି ଶତାଧିକ ପଶୁ ପକ୍ଷୀ ବଳି ଦେଇଛନ୍ତି ।
ପ୍ରଥା ଅନୁଯାୟୀ ପ୍ରତିବର୍ଷ ତୁଷୁରା ଥାନା ଅନ୍ତର୍ଗତ ଖଇରଗୁଡ଼ାର ବଡ଼ଖଳା ଶୂଲିଆ ପୀଠ, ନୂଅାଁଖଳା ଏବଂ ସାନଖଳାରେ ପଶୁ ପଳି ଦିଆଯାଇଥାଏ । ଶୁଲିଆ ଯାତ୍ରାରେ ବଳିକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବପ୍ରସ୍ତୁତି କରାଯାଇଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବଳି ଦିଆଯାଇଥିବା ବେଳେ ସେଠାରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ତେବେ ଏହା ଶତାଧିକ ବର୍ଷର ପ୍ରାଚୀନ ପରମ୍ପରା ହୋଇଥିବାରୁ ଆଦିବାସୀଙ୍କୁ ବଳି ବନ୍ଦ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ବଳି ସପକ୍ଷବାଦୀମାନେ କହିଛନ୍ତି । ୨୦୦୫ରେ ବଳି ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରାଯିବା ପରେ ସେହି ଦିନ ଠାରୁ ୨୦୦୮ ପର୍ଯ୍ୟନ୍ତ ବଡ଼ ଖଳାରେ ବଳି ବନ୍ଦ କରାଯାଇଥିଲା ଓ ୨୦୦୯ରେ ପୁଣି ବଡ଼ ଖଳାରେ ବଳି ଦିଆଯାଇଥିଲା ।
ଏହାପରେ ପ୍ରଶାସନ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ବଳିକୁ ସଂପୂର୍ଣ୍ଣ ବନ୍ଦ କରିବା ସହ ପ୍ରାଣୀ ସୁରକ୍ଷା ଆଇନକୁ ପାଳନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply