Site icon Odisha.com

ଦୁର୍ନୀତିରେ ବିଜେଡ଼ି କଂଗ୍ରେସ ଠାରୁ ପଛରେ ନାହିଁ: ଗଡ଼କରୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) “ଦୁର୍ନୀତିରେ ବିଜେଡ଼ି ମଧ୍ୟ କଂଗ୍ରେସ ଠାରୁ ପଛରେ ନାହିଁ’ ରାଜଧାନୀ ଭୁବନେଶ୍ୱରରେ ସୋମବାର ବିଜେପି ପକ୍ଷରୁ ଆୟୋଜିତ ଭ୍ରଷ୍ଟାଚାର ହଟାଅ ସମାବେଶରେ ଯୋଗେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ଗଡ଼କରୀ କହିଛନ୍ତି ।

ସେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିରୁଦ୍ଧରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜେଡ଼ି ସରକାର କଂଗ୍ରେସକୁ କହୁଛି “ତୁମ୍ ଦିଲ୍ଲୀ ଲୁଟୋ, ହମ୍ ଓଡ଼ିଶା ଲୁଟ୍ନେକା କାମ କରେଙ୍ଗେ’ ବୋଲି ଗଡ଼କରୀ କହିଥିଲେ ।

କେନ୍ଦ୍ର ସରକାର ଆଦର୍ଶ ହାଉସିଂ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଟୁଜି ସ୍ପେକ୍ଟ୍ରମ ଭଳି ଦୁର୍ନୀତିରେ ବୁଡ଼ି ଯାଇଥିବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଖଣି ଦୁର୍ନୀତି, ବେଦାନ୍ତ ବିଶ୍ୱବ୍ୟିାଳୟ ଜମିକୁ ନେଇ ସମାଲୋଚିତ ହୋଇଛି । ତେଣୁ ରାଜ୍ୟରେ ବିଜେପି ହିଁ ଏକମାତ୍ର ବିକଳ୍ପ, ସେ କହିଛନ୍ତି ।

ବିଶ୍ୱହିନ୍ଦୁ ପରିଷ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ସେ ଓଡ଼ିଶା ସରକାରକୁ ପ୍ରଶ୍ନ କରିଥିଲେ ।

ବିଜେଡ଼ି ଏବେ ଓଡ଼ିଶାରେ ପ୍ରତି ଘରକୁ ଯାଇ ସଂପର୍କ ଯୋଡ଼ିବା ଅଭିଯାନ ଆରମ୍ଭ କରିଛି । ବିଜେପି ମଧ୍ୟ ଲୋକ ମାନଙ୍କ ପାଖରେ ବିଜେଡ଼ିର ଦୁର୍ନୀତି କାରନାମା ଉପସ୍ଥାପନ କରୁ, ଫଳରେ ଲୋକେ ବିଜେଡ଼ିକୁ ଘରେ ପୁରାଇବା ପରିବର୍ତ୍ତେ ଘରକୁ ପଠାଇ ଦେବେ ବୋଲି ସେ କହିଥିଲେ ।

ନବୀନ ହେଉଛନ୍ତି ଦୁର୍ନୀତି ଭ୍ରଷ୍ଟାଚାରର ସମ୍ରାଟ । ତାଙ୍କ ଶାସନ କାଳରେ ଖଣି କାରବାରରେ ତିନି ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି ଓ ସ୍ୱଚ୍ଛ ଶାସନର ଦ୍ଵାହି ଦେଇ ଲୋକଙ୍କୁ ଠକୁଛନ୍ତି ବୋଲି ସମାବେଶରେ ଅଧ୍ୟକ୍ଷତା କରିଥିବା ରାଜ୍ୟ ସଭାପତି ଜୁଏଲ ଓରାମ କହିଥିଲେ ।

ନବୀନଙ୍କ ବିଶ୍ୱାସଘାତକତାର ଜବାବ ଦିଆଯିବ ଓ ଭବିଷ୍ୟତରେ ବିଜେଡ଼ି ସହ ଆମେ ମେଣ୍ଟ କରିବୁ ନାହିଁ, ସେ କହିଛନ୍ତି ।

ରାଜ୍ୟର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆସିଥିବା କର୍ମୀମାନେ ରାଜଧାନୀର ଆଠଟି ସ୍ଥାନରୁ ରାଲିରେ ବାହାରି ସ୍ଥାନୀୟ ପିଏମ୍ଜି ଛକ ଠାରେ ସମାବେଶରେ ଯୋଗ ଦେଇଥିଲେ ।
୨୦୦୯ ସାଧାରଣ ନିର୍ବାଚନରେ ପରାଜୟ ପରେ ରାଜ୍ୟରେ ଏହା ବିଜେପିର ସର୍ବ ବୃହତ ସମାବେଶ । ଏଥିରେ ପ୍ରାୟ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ କର୍ମୀ ଯୋଗ ଦେ ଇଥିଲେ ।

ସମାବେଶଷର ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ବଲବୀର ପୁଞ୍ଜ, ବରିଷ୍ଠ ନେତା ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, କେ.ଭି.ସିଂହେଓ, ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ ପ୍ରମୁଖ ଉଦବୋଧନ ଦେଇ ଦଳକୁ ଶକ୍ତିଶାଳୀ କରିବା ନିମନ୍ତେ କାର୍ଯ୍ୟ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ତେବେ ଏହି ସମାବେଶ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version