Site icon Odisha.com

ଖଣି ରୟାଲଟିର ୫୦ପ୍ରତିଶତ ଓଡ଼ିଶାକୁ ମିଳୁ: ରାମଦେବ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ବିପୁଳ ଖଣିଜ ସଂପଦ ଭଣ୍ଡାର ଉପରେ ବସିଥିବା ଓଡ଼ିଶା ଗରିବ ହୋଇ ରହିବା ଦୁଃଖଦାୟକ, ଖଣି ରୟାଲଟିର ଅନ୍ୟୁନ ୫୦ ପ୍ରତିଶତ ଦେବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆଧ୍ୟାତ୍ମିକ ଯୋଗ ଗୁରୁ ବାବା ରାମଦେବ ଦାବି କରିଛନ୍ତି ।

ଗରିବି ପାଇଁ କେନ୍ଦ୍ର ସରକାର ବହୁ ପରିମାଣରେ ଦାୟୀ ବୋଲି ସାଂପ୍ରତିକ ଭାରତ ସ୍ୱାଭିମାନ ଯାତ୍ରା ପ୍ରେକ୍ଷୀରେ ସାତ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବାବା ରାମଦେବ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସମସ୍ତ ପ୍ରକାର ଖଣିଜ ସଂପଦ ଏଠାରେ ରହିଛି । ଏଠାରେ ଯାହା ରହିଛି ତାହା ଦେଶର କୌଣସି ସ୍ଥାନରେ ନାହିଁ । ଏହା ସତ୍ତ୍ୱେ ଓଡ଼ିଶାରେ ଗରିବି ବ୍ୟାପକ ଓ ଆଦିବାସୀ ମାନଙ୍କ ସ୍ଥିତି ଯଥା ପୂର୍ବମ ତଥା ପରମ୍, କାରଣ ସେହି ଖଣିଜ ସଂପଦ ର ସବିନିଯୋଗ ହେଉ ନାହିଁ । ସ୍ପଷ୍ଟ ଦିବାଲୋକରେ ତାହାର ହରିଲୁଟ୍ ଚାଲିଛି ।

ଶେଷରେ ଦୁର୍ନୀତି, ଅନୀତି, ଭ୍ରଷ୍ଟାଚାର, ଦୂରାଚାରର ଚେର ଲମ୍ବିଲମ୍ବି ଚାଲିଛି । ଦୂର୍ନୀତିଗ୍ରସ୍ତ ତଥା ଭ୍ରଷ୍ଟାଚାରୀ ଲୋକମାନେ କ୍ଷମତାକୁ ଜାବୁଡ଼ି ଧରିବାରେ ସଫଳ ହେଉଛନ୍ତି ।

ଜାତୀୟ ସ୍ତରରେ ବହୁ ଦୁର୍ନୀତି, କେଳେଙ୍କାରୀ ଘଟି ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ଖଣି-ଖାଦାନ, ଜଙ୍ଗଲ-ଜମି ଓ ପାଣିର ହରିଲୁଟ୍ ହୋଇ ଚାଲିଛି । ଏଭଳି ମୁହୁର୍ତ୍ତରେ ସାଧୁ ସନ୍ଥ ଆଧ୍ୟାତ୍ମିକ ନେତାଙ୍କ ରାଜନୀତିକୁ ଆସିବାର ସମୟ ଆସିଛି ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version