Site icon Odisha.com

ସୁରକ୍ଷା, ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ପଶୁ ବଳି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ବଳି ନଦେବା ପାଇଁ ପ୍ରଶାସନର ଉଦ୍ୟମ ସତ୍ତ୍ୱେ ନିଜର ସୁରକ୍ଷା ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ନିକଟରେ ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ଅଞ୍ଚଳରେ ଶତାଧିକ ପଶୁପକ୍ଷୀ ଦିଆଯାଇଛି ।

ମକରସଂକ୍ରାନ୍ତି ଓ ପୋଙ୍ଗଳ ପାଳନ ଅବସରରେ ଗତ ରବିବାର ଷଣ୍ଢକୁଦ ଅଞ୍ଚଳରେ ଗଙ୍ଗାମାତା ମନ୍ଦିରରେ ତେଲୁଗୁ ସଂପ୍ରଦାୟର ମତ୍ସ୍ୟ ଜୀବୀମାନେ ପଶୁ ବଳି ଦେଇଛନ୍ତି ।

ଗତ ଚାରି ପାଞ୍ଚ ବର୍ଷ ହେଲା ଏହି ସଂପ୍ରଦାୟର ଲୋକମାନେ ବଳି ଦେଇ ଆସୁଥିବା ବେଳେ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସ୍ଥାନୀୟ ସମାଜସେବୀ, ପରିବେଶବିତ୍ ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ଏହି ମନ୍ଦିରରେ ଛେଳି, ମେଣ୍ଢା, କୁକୁଡ଼ା ବଳି ଦିଆଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହାସହ ମତ୍ସ୍ୟ ଜୀବୀମାନେ ପ୍ରତ୍ୟେକ ବର୍ଷ ଚୈତ୍ର ଅମାବାସ୍ୟା, ଦୀପାବଳି ଅମାବାସ୍ୟା ଏବଂ ପୋଙ୍ଗଲ ସମୟରେ ବଳି ଦେଇଥାନ୍ତି ।

“ମନ୍ଦିରରେ ବଳି ଦେବା ଦ୍ଵାରା ପ୍ରାକୃତିକ ବିପର୍ଯ୍ୟୟରୁ ଆମେ ରକ୍ଷା ପାଇବା ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ହୋଇଥାଏ । ଦେବୀ ଆମକୁ ସବୁବେଳେ ସୁରକ୍ଷା ଦେଇ ଆସିଛନ୍ତି ତେଣୁ ଏହାକୁ ବନ୍ଦ କରିେଲେ ଗାଁକୁ ବିପଦ ହେବ” ୬୦ ବର୍ଷ ବୟସ୍କ ତେଲୁଗୁ ମତ୍ସ୍ୟ ଜୀବୀ ଜଗନ୍ନାଥ ରାଓ କହିଛନ୍ତି ।

ତେଲୁଗୁ ମତ୍ସ୍ୟ ଜୀବୀ ସଂପ୍ରଦାୟରେ ବଳି ଦେବା ନୂଆଁ କଥା ନୁହେଁ, ବହୁ ବର୍ଷରୁ ଏହି ପ୍ରଥା ରହିଆସିଛି । ସମୁନ୍ଦ୍ର ମଧ୍ୟରେ ସବୁବେଳେ ରହୁ ଥିବାରୁ ଦେବାଦେବୀ ଆମକୁ ସୁରକ୍ଷା ପ୍ରଦାନ କରିଥାନ୍ତି ଯାହା ପ୍ରଶାସନ କିମ୍ବା ମଣିଷ କରିପାରିବ ନାହିଁ ବୋଲି ଅନ୍ୟ ମତ୍ସ୍ୟ ଜୀବୀମାନେ କହିଛନ୍ତି ।

ଏଭଳି ଧାର୍ମିକ ପ୍ରଥାରେ ପ୍ରଶାସନ କିମ୍ବା ଆଇନ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ପୂଜାରୀ ସୁଦର୍ଶନ ମିଶ୍ର କହିଛନ୍ତି । ପଶୁ ବଳି ନେଇ ପ୍ରଶାସନ ନିକଟରେ କୌଣସି ଖବର ନାହିଁ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ସରୋଜକାନ୍ତ ଚୌଧୁରୀ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version