Site icon Odisha.com

ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସୋମବାର ପରିବେଶ ମଞ୍ଜୁରୀ ପ୍ରଦାନ କରିଛି ।

ଅତିରିକ୍ତ ସର୍ତ୍ତରେ ମନ୍ତ୍ରଣାଳୟ ପୋସ୍କୋର ଇସ୍ପାତ ପ୍ରକଳ୍ପ ଓ ବନ୍ଦର ପ୍ରକଳ୍ପକୁ ଏହି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇସ୍ପାତ ପ୍ରକଳ୍ପ ପାଇଁ ୨୮ଟି ଅତିରିକ୍ତ ସର୍ତ୍ତ ରଖାଯାଇଥିବା ବେଳେ ବନ୍ଦର ପାଇଁ ୩୨ଟି ସର୍ତ୍ତ ରଖାଯାଇଛି ।

ପ୍ରକଳ୍ପ ଅଞ୍ଚଳରେ ଜଙ୍ଗଲ ଜମି ଆଇନର କାର୍ଯ୍ୟକାରୀ କରାଯାଇନଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦୁଇଟି କମିଟି ସଂପୃକ୍ତ ଅଞ୍ଚଳ ପରିଦର୍ଶନରେ ଆସିଥିଲେ ।

ସଂପୃକ୍ତ ଅଞ୍ଚଳରେ ଜଙ୍ଗଲ ଆଇନ ଉଲଂଘନ କରାଯାଇଥିବା ଜାଣିବା ପରେ ଜମି ଅଧିଗ୍ରହଣ ସମେତ ଅନ୍ୟ କାର୍ଯ୍ୟ ବନ୍ଦ କରିବାକୁ ଏହି କମିଟି ସୁପାରିଶ କରିଥିଲେ ।

ପରେ ଅଗଷ୍ଟ ୬ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପ୍ରକଳ୍ପ ପାଇଁ ହେଉଥିବା ସମସ୍ତ ଜଙ୍ଗଲ ଜମି ଏବଂ ଅଣଜଙ୍ଗଲ ଜମି ଅଧିଗ୍ରହଣ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜଗତସିଂହପୁର ଜିଲ୍ଲାରେ ୫୨ ହଜାର କୋଟି ଟଙ୍କା ବ୍ୟୟରେ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ୨୦୦୫ ଜୁଲାଇ ୨୨ରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

“ବିଳମ୍ବ ହେଲେ ମଧ୍ୟ ପୋସ୍କୋ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଆମେ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ” ନିଜ ପ୍ରତିକ୍ରିୟାରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି । ଏହି ପ୍ରକଳ୍ପ ଦ୍ଵାରା କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷ ଲାଭବାନ ହେବ । ପ୍ରକଳ୍ପ ପାଇଁ ଯଥାଶିଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ କରାଯିବ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version