Site icon Odisha.com

ସାତଟି ଶିଳ୍ପ ସ୍ଥାପନ ପାଇଁ ସରକାରୀ ଅନୁମୋଦନ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ଯୋରଦାର କରିବା ପାଇଁ ଆଉ ସାତଟି ନୂତନ ଶିଳ୍ପ ସ୍ଥାପନକୁ ସରକାର ଅନୁମୋଦନ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ ସେହି ଅନୁମୋଦନ ଦେଇଥିବା ବେଳେ ନୂତନ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ୩୪୦୦ କୋଟି ଟଙ୍କା ବିନିଯୋଗ ହେବ ।

ଏହା୍ ଦ୍ୱାରା ପ୍ରାୟ ପାଞ୍ଚ ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ । ଅନୁମୋଦନ ପାଇଥିବା ସାତଟି ଶିଳ୍ପ ସଂସ୍ଥା ମଧ୍ୟରୁ ପାଞ୍ଚଟି ଇସ୍ପାତ ଶିଳ୍ପ ହୋଇଥିବା ବେଳେ ଗୋଟିଏ ପାଲେଟ୍ ଓ ଅନ୍ୟଟି ସିମେଣ୍ଟ କାରଖାନା ସୁନ୍ଦରଗଡ଼ ଜିଲ୍ଲାର ବଣାଇ ତହସିଲରେ ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏକ ସମନ୍ୱିତ ଇସ୍ପାତ କାରଖାନା କରାଯିବ । ଏଥିପାଇଁ ୯୨୫ କୋଟି ଟଙ୍କା ବିନିଯୋଗ ହେବ ଏବଂ ୧୮୦୦ ଲୋକ ନିଯୁକ୍ତି ପାଇବେ । ଏହାର ଉତ୍ପାଦନ କ୍ଷମତା ଛଅ ଲକ୍ଷ ମେଟ୍ରିକଟନ୍ ।

ସେହିପରି ବଜରଙ୍ଗ ପାୱାର ଆଣ୍ଡ ଇସ୍ପାତ ଦେବଗଡ଼ ଜିଲ୍ଲାରେ ଇସ୍ପାତ କାରଖାନା ସ୍ଥାପନ କରିବ । ଏହାର ଉତ୍ପାଦନ କ୍ଷମତା ୧୨ ଲକ୍ଷ ମେଟ୍ରିକ ଟନ୍ ଓ ଏଥିପାଇଁ ୫୦୦ କୋଟି ଟଙ୍କା ବିନିଯୋଗ ହେବ । ଏଥିରେ ୧୨୦୦ ଲୋକ ନିଯୁକ୍ତି ପାଇବେ ।

ଗୋପାଳପୁର ସ୍ଥିତ ଏସ୍ଇଜେଡ଼୍ରେ ଟାଟା ଷ୍ଟିଲ ବାର୍ଷିକ ୪ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ରିବାର ମିଲ୍ ଏବଂ ୫୫ ହଜାର ଟନ୍ କ୍ଷମତା ବିଶିଷ୍ଟ ହାଇକାର୍ବନ ଫେରେକ୍ରୋମ ପ୍ରକଳ୍ପ ସ୍ଥାପନ କରିବ ।

ଆର୍ଯ୍ୟନ ମାଙ୍ଗାନିଜ ଆଣ୍ଡ ଟ୍ରେଡ଼ିଂ କର୍ପୋରେଶନ ସୁନ୍ଦରଗଡ଼ କୋଇଡ଼ା ଠାରେ ଏକ ବେନିଫିକେସନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ । କାସଭି ଇଣ୍ଟରନ୍ୟାସନାଲ ବଡ଼ବିଲ ଚମ୍ପାଡ଼ିହ ଠାରେ ଆଇାନ ଓର୍ ପେଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଭବାନୀ ସିମେଣ୍ଟ ୧୪୧ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କରିବ ।

ଓଡିଶା ଡଟ୍ କମ୍

Exit mobile version