Site icon Odisha.com

କମ୍ପ୍ୟୁଟର ଶିକ୍ଷାରେ ଅବହେଳା ଯୋଗୁଁ ପୋଷ୍ଟମାଷ୍ଟର ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୮(ଓଡ଼ିଶା ଡ଼ଟ୍ କମ୍) ଅଫିସ କାର୍ଯ୍ୟ କରିବା ପାଇଁ ଆବଶ୍ୟକ କମ୍ପ୍ୟୁଟର ଶିକ୍ଷାରେ ଅବହେଳା କରିଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ନିକଟରେ ଜଗତସିଂହପୁର ଜିଲ୍ଲାର ଜଣେ ଡ଼ାକ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।

ଗ୍ରାମାଞ୍ଚଳ ଲୋକଙ୍କୁ ସଠିକ୍ ସେବା ଯୋଗାଇବା ଲକ୍ଷ୍ୟରେ ଡ଼ାକ ବିଭାଗ ପୋଷ୍ଟ ଅଫିସ ଗୁଡ଼ିକର ଆଧୁନିକୀକରଣ ତଥା କମ୍ପ୍ୟୁଟରୀକରଣ କରି ଏଗୁଡ଼ିକର ପରିଚାଳନା ପାଇଁ ସିଷ୍ଟମ ଆଡ଼ମିନିଷ୍ଟ୍ରେଟର ନିଯୁକ୍ତ କରିଛନ୍ତି ।

ଜିଲ୍ଲାର ଏର୍ସମା ବ୍ଲକ ଅନ୍ତର୍ଗତ ତିରାନ ସ୍ଥିତ ଡ଼ାକଘରେ ଅଧିକାରୀ ମାନେ କମ୍ପ୍ୟୁଟର ଶିକ୍ଷା କରିନଥିବାରୁ ଡ଼ାକସେବା ବାଧାପ୍ରାପ୍ତ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ।

ଏ ସଂପର୍କରେ ଅଭିଯୋଗ ପାଇବା ପରେ କଟକ ଡ଼ିଭିଜନ ଡ଼ାକ ଅଧିକ୍ଷକ ସୁବାଷ ଚନ୍ଦ୍ର ବାରିକ ଗତ ଡ଼ିସେମ୍ବର ୨୯ରେ ତଦନ୍ତ କରିଥିଲେ । ଡ଼ାକଘର ପୋଷ୍ଟ ମାଷ୍ଟରଙ୍କ କମ୍ପ୍ୟୁଟର ବିଷୟରେ ଜ୍ଞାନ ନଥିବାରୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସେ ଜାଣିବାକୁ ପାଇଥିଲେ ।

ଗତ ଅପ୍ରେଲ ୨୦୦୯ରେ କର୍ତ୍ତୃପକ୍ଷ ଏହି କାର୍ଯ୍ୟାଳୟରେ ଦୁଇଜଣ କମ୍ପ୍ୟୁଟର ସିଷ୍ଟମ ଆଡ଼ମିନିଷ୍ଟ୍ରେଟରଙ୍କୁ ନିଯୁକ୍ତି ଦେଇଥିଲେ କିନ୍ତୁ କମ୍ପ୍ୟୁଟର ଖରାପ ଯୋଗୁଁ ବିଭିନ୍ନ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା, ନିଲମ୍ବିତ ସବ୍ ପୋଷ୍ଟ ମାଷ୍ଟର ବିଜୟ କୁମାର ତ୍ରିପାଠୀ କହିଛନ୍ତି ।

“ଡ଼ାକ ବିଭାଗ କମ୍ପ୍ୟୁଟର ତାଲିମ ପାଇଁ କୌଣସି ସ୍ଥାନକୁ ପଠାଇନଥିବାରୁ ଏହା ଜାଣିପାରିଲି ନାହିଁ । ବିଭାଗୀୟ କର୍ତ୍ତୃପକ୍ଷ ବେଆଇନ ଭାବେ ମତେ ନିଲମ୍ବନ କରିଛନ୍ତି । ଏ ସଂପର୍କରେ ମୁଁ ଡ଼ାକ ବିଭାଗ ନିର୍ଦ୍ଦେଶକଙ୍କୁ ଜଣାଇଛି” ତ୍ରିପାଠୀ କହିଛନ୍ତି ।

ତ୍ରିପାଠୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ଡ଼ାକ ଅଧିକ୍ଷକ କହିଥିବା ବେଳେ ନିଲମ୍ବନର କାରଣ ସଂପର୍କରେ କିଛି କହିନାହାନ୍ତି ।

ଓଡିଶା ଡଟ୍ କମ୍

Exit mobile version