Site icon Odisha.com

ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ରାସ୍ତା ଖୋଳିଲେ ବିରୋଧୀ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳକୁ ବରିଷ୍ଠ ଅଧିକାରୀ ଗସ୍ତ କରି ପାଚେରୀ ଓ ରାସ୍ତା ନିର୍ମାଣ ପାଇଁ ସୂଚନା ଦେବା ପରେ ବିରୋଧୀମାନେ କେତେକ ସ୍ଥାନରେ ରାସ୍ତା ଖୋଳିଦେଇଛନ୍ତି ।

ସରକାରଙ୍କ ଜମି ଅଧିଗ୍ରହଣ ନିଷ୍ପତ୍ତିକୁ ବିରୋଧ କରି ରବିବାର ଢିଙ୍କିଆ, ଗୋବିନ୍ଦପୁର, ପାଟଣା ଓ ନୋଳିଆ ସାହିର ଲୋକମାନେ ଜଟାଧାରୀ ମୁହାଣରୁ ଢିଙ୍କିଆ ପର୍ଯ୍ୟନ୍ତ ୧୫ଟି ସ୍ଥାନରେ ରାସ୍ତା ଖୋଳି ଯୋଗାଯୋଗ ବିଚ୍ଛିନ୍ନ କରିଦେଇଛନ୍ତି ।

ଉକ୍ତ ରାସ୍ତା ପାରାଦ୍ଵୀପରୁ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଜଟାଧାରୀ ଓ ଢିଙ୍କିଆକୁ ସଂଯୋଗ କରିଥାଏ ।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ଓ ପୋସ୍କୋ ନୋଡ଼ାଲ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଶନିବାର ଉକ୍ତ ଅଞ୍ଚଳ ଗସ୍ତରେ ଯାଇଥିଲେ ।

ଢିଙ୍କିଆ ଅଞ୍ଚଳରେ ପୋଲିସକୁ ପ୍ରବେଶ କରାଇନଦେବାକୁ ଶତାଧିକ ଗ୍ରାମବାସୀ ଏହି ରାସ୍ତା ଖୋଳିଥିବା ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଭାପତି ଅଭୟ ସାହୁ କହିଛନ୍ତି । ପ୍ରଶାସନର ଜମି ଅଧିଗ୍ରହଣକୁ ବିରୋଧ କରି ଲୋକମାନେ ପ୍ରବେଶପଥରେ ଦିନରାତି ଜଗି ରହିବେ, ସେ କହିଛନ୍ତି ।

ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ଓ ସରକାର ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ।

ଓଡିଶା ଡଟ୍ କମ୍

Exit mobile version