Site icon Odisha.com

ଡ଼ାଲି ଦୁର୍ନୀତି ନେଇ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

ଓଡ଼ିଶା ଡ଼ଟ୍ କମ୍ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଶିଶୁ ମାନଙ୍କୁ ନିମ୍ନ ମାନର ଡ଼ାଲି ଦିଆଯାଉଥିବା ଅଭିଯୋଗ ହେବା ପରେ ମଙ୍ଗଳବାର ରାଜ୍ୟ ମାନବାଧିକାର କମିଶନ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି ।

ଅଭିଯୋଗ ସଂପର୍କରେ ଦଶ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ସରକାରଙ୍କୁ କୁହାଯାଇଥିବା କମିଶନ ଅଧ୍ୟକ୍ଷ ଆର୍.କେ ପାତ୍ର କହିଛନ୍ତି । ବର୍ତ୍ତମାନ ଯି ଏହି ଡ଼ାଲି ଯୋଗାଣ ହେଉଛି ତେବେ ତୁରନ୍ତ ଏହାକୁ ପରିବର୍ତ୍ତନ କରିବାକୁ ସରକାରଙ୍କୁ କୁହାଯାଇଥିବା ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ବିଭିନ୍ନ ସରକାରୀ ଯୋଜନାରେ ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଥିବା ଡ଼ାଲି ଯୋଗାଣରେ ଅନିୟମିତତା ହୋଇଥିବା ଗତ ମାସ ଭିଜିଲାନ୍ସ ବିଭାଗ ଜାଣିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ।

ଏହି ଦୁର୍ନୀତିରେ ଗତ ୫ ତାରିଖରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଇସ୍ତଫା ଦେଇଥିବା ବେଳେ ତିନି ଜଣ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ଯେଉଁମାନେ ନିମ୍ନ ମାନର ଡ଼ାଲି ଯୋଗାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଫୌଜାରୀ ମାମଲା ରୁଜୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ନିମ୍ନ ମାନର ଡ଼ାଲି ଖାଇଥିବା ଶିଶୁ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଗତ ୧୦ ତାରିଖରେ ବିରୋଧୀ ଭାରତୀୟ ଜନତା ପାର୍ଟି(ବିଜେପି)କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version