Site icon Odisha.com

ଡ଼ାଲି ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ଜାରି ରହିବ: ବିଜେପି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଡ଼ାଲି ଦୁର୍ନୀତି ତଥା ଭ୍ରଷ୍ଟାଚାରୀ ନବୀନ ସରକାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ତାର ଆନ୍ଦୋଳନ ସବୁ ସ୍ତରରେ ଜାରି ରଖିବ ବୋଲି ଏକ ସମାବେଶରେ ଦଳର ନେତାମାନେ କହିଛନ୍ତି ।

ଖଣି, ପାଣି, ଜମି ଓ କୋଇଲା ଆଦି ମହାଦୁର୍ନୀତିରେ ଛନ୍ଦି ହୋଇପଡ଼ିଥିବା ବିଜେଡ଼ି ସରକାର ଶେଷରେ ଛୋଟଛୋଟ ପିଲାଙ୍କ ମଧ୍ୟାହ୍ନ ଭୋଜନ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଡ଼ାଲିରେ ବ୍ୟାପକ ଦୁର୍ନୀତି କରିଛନ୍ତି, ସୋମବାର ଭଦ୍ରକ ଠାରେ ଆୟୋଜିତ ସମାବେଶରେ ସେମାନେ କହିଛନ୍ତି ।

ଭଦ୍ରକର ଆର୍ଏମ୍ସି ଛକ ଠାରୁ କର୍ମୀମାନେ ଏକ ର୍ୟାଲି ବାହାରି ନବୀନ ପଟ୍ଟନାୟକ ହାଏ ହାଏ, ବିଜେଡ଼ି ସରକାର ଡ଼ାଉନ ଡ଼ାଉନ୍, ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ଆଦି ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିବା ବେଳେ ଶତାଧିକ ମହିଳା ହାତରେ ଝାଡ଼ୁ ଧରି ର୍ୟାଲିରେ ଯୋଗ ଦେଇଥିଲେ ।

କେନ୍ଦ୍ରର କଂଗ୍ରେସ ଓ ରାଜ୍ୟର ବିଜେଡ଼ି ସରକାର ସଲାସୁତୁରାର ଶାସନ ଚଳାଇଛନ୍ତି । ଦୁର୍ନୀତି କରିବାରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି ବୋଲି ରାଜ୍ୟ ସଭାପତି ଜୁଏଲ ଓରାମ ଉ୍ବୋଧନ ଦେଇ କହିଥିଲେ ।

ଡ଼ାଲି ଯୋଗାଣରେ ବ୍ୟାପକ ଅନିୟମିତତା ହେଉଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଅବଗତ କରାଇଥିଲେ ସୁଦ୍ଧା ତାଙ୍କ କଥାକୁ ସେ ଗୁରୁତ୍ୱ ଦେଇନଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଡ଼ାଲି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନିଜେ ସଂଶ୍ଳିଷ୍ଟ ବୋଲି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉ୍ବୋଧନ ଦେଇ କହିଥିଲେ । ସମାବେଶରେ ଦଳର ବହୁ ବରିଷ୍ଠ ନେତା ଓ ପଦାଧିକାରୀମାନେ ଯୋଗ ଦେଇଥିଲେ

ଓଡିଶା ଡଟ୍ କମ୍

Exit mobile version