Site icon Odisha.com

ଡ଼ାଲି ଦୁର୍ନୀତି: ଫୌଜଦାରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଡ଼ାଲି ଦୁର୍ନୀତି ଘଟଣାରେ ସଂପୃକ୍ତ ଯୋଗାଣକାରୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହାବ୍ୟତୀତ ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଭୟ ମଧ୍ୟାହ୍ନ ଭୋଜନ ଓ ସ୍ୱତନ୍ତ୍ର ପୁଷ୍ଟିକର କାର୍ଯ୍ୟକ୍ରମରେ ଯୋଗାଯାଇଥିବା ଡ଼ାଲି ସଂପର୍କରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଡ଼ାଲି ଦୁର୍ନୀତି ନେଇ ଭିଜିଲାନ୍ସ ବାଲେଶ୍ୱର, ଗଞ୍ଜାମ, ଯାଜପୁର, ମୟୁରଭଞ୍ଜ ଓ ଦେବଗଡ଼ ଜିଲ୍ଲାର ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛି ।

ସରକାରୀ ଯୋଜନାରେ ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଥିବା ଡ଼ାଲି ଯୋଗାଣରେ ଅନିୟମିତତା ହୋଇଥିବା ଗତ ମାସ ଭିଜିଲାନ୍ସ ବିଭାଗ ଜାଣିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ।

ଏହି ଦୁର୍ନୀତିରେ ଗତ ୫ ତାରିଖରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଇସ୍ତଫା ଦେଇଥିବା ବେଳେ ତିନିି ଜଣ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version