Site icon Odisha.com

ଜିଲ୍ଲାପାଳ, ଯନ୍ତ୍ରୀଙ୍କ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଅପହରଣ କରିନେଇଥିବା ମାଲକାନଗିରି ଜିଲ୍ଲାପାଳ ଓ ଯନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

“ଘଟଣାର ତଦାରଖ କରାଯାଉଛି । ସେମାନଙ୍କର ମୁକ୍ତି ପାଇଁ ମୁଁ ମାଓବାଦୀଙ୍କୁ ନିବେଦନ କରିଛି” ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ବୁଧବାର ସଂଧ୍ୟାରେ ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରୁ ଅପହରଣ କରିନେଇଥିବା ଜିଲ୍ଲାପାଳ ଆର୍.ଭିନିଲ.କ୍ରିଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ମାଝୀଙ୍କ ମୁକ୍ତି ପାଇଁ ମାଓବାଦୀମାନେ ସରକାରଙ୍କ ନିକଟରେ ସର୍ତ୍ତ ରଖିଛନ୍ତି ।

ଜିଲ୍ଲାରେ ମାଓବାଦୀ ଅପରେଶନ ବନ୍ଦ କରିବା ଓ ଗିରଫ ହୋଇ ଜେଲରେ ଥିବା ସମସ୍ତ ମାଓବାଦୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଛନ୍ତି ।

“ସେମାନଙ୍କ ସର୍ତ୍ତ ନେଇ ପରୀକ୍ଷା ଚାଲିଛି । ସେମାନେ ଜିଲ୍ଲାରେ ମାଓବାଦୀ ଅପରେଶନ ବନ୍ଦ କରିବା ତଥା ଗିରଫ
ମାଓବାଦୀଙ୍କୁ ମୁକ୍ତ କରିବାକୁ ସର୍ତ୍ତ ରଖିଛନ୍ତି । ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ତଥ୍ୟ ସଂଗ୍ରହ କରାଯାଉଛି” ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଏହି ଘଟଣା ସଂପର୍କରେ ବିରୋଧି ଦଳ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଗୁରୁବାର ବିଧାନସଭାରେ ହଟ୍ଟଗୋଳ କରିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ମାଓବାଦୀମାନେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଅପହରଣ କରିଛନ୍ତି ।

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବଡ଼ପଡ଼ା ଠାରେ ବୁଧବାର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଜନସଂପର୍କ ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

୩୦ ବର୍ଷ ବୟସ୍କ କ୍ରିଷ୍ଣା ୨୦୦୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ୧୬ ମାସ ତଳେ ମାଲକାନଗିରି
ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version