Site icon Odisha.com

ମାଓବାଦୀଙ୍କ ସହ ଆଲୋଚନା ପାଇଁ ଓଡ଼ିଶାରେ ଦୁଇ ମଧ୍ୟସ୍ଥି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ସହ ଆଲୋଚନା କରିବା ନିମନ୍ତେ ମାନବାଧିକାର କର୍ମୀ ପ୍ରଫେସର ଜି.ହରଗୋପାଳ ଓ ପ୍ରଫେସର ଆର୍.ସୋମେଶ୍ୱର ରାଓ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

“ଆମେ କେବଳ ମଧ୍ୟସ୍ଥି । ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ପକାଇବାର ପ୍ରଶ୍ନ ଉଠୁନାହିଁ । ସରକାରଙ୍କ ସହ ଆଲୋଚନା ନକରିବା ପର୍ଯ୍ୟନ୍ତ ଆମେ କିଛି କହିପାରିବୁ ନାହିଁ” ବିମାନବନ୍ଦରରେ ହରଗୋପାଳ କହିଛନ୍ତି ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଉଭୟଙ୍କୁ ରାଜ୍ୟ ଅତିଥି ଭବନକୁ ନିଆଯାଇଛି । ସେମାନେ ତାଙ୍କ ସଂପର୍କୀୟଙ୍କ ସହ ସେଠାକୁ ଯାଇଛନ୍ତି ।

ଗତ ବୁଧବାର ସଂଧ୍ୟାରେ ଜିଲ୍ଲାପାଳ ଆର୍.ଭିନିଲ.କ୍ରିଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଆଇଏଏସ୍ ଅଧିକାରୀଙ୍କୁ ସେମାନେ ଅପହରଣ କରିଛନ୍ତି ।

ଶନିବାର ହରଗୋପାଳ ନୂଆଦିଲ୍ଲୀରୁ ହାଇ୍ରଦ୍ରାବାଦ ଯାଇ ସେଠାରେ ଅନ୍ୟତମ ମଧ୍ୟସ୍ଥି ଅବସରପ୍ରାପ୍ତ ପ୍ରଫେସର
ସୋମେଶ୍ୱର ରାଓ, ମାଓବାଦୀ ସମର୍ଥକ ଓ ବିପ୍ଲବୀ ଲେଖକ ବାର୍ବାରା ରାଓଙ୍କ ସହ ଆଲୋଚନା କରିଥିଲେ ।

ଏହି ତିନିଜଣ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ଏକତ୍ର ହୋଇ ଅପହୃତ ବ୍ୟକ୍ତିଙ୍କ ନିରାପଦ ମୁକ୍ତି କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ପ୍ରଥମେ ମାଓବାଦୀମାନେ ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ପୁଣି ସେମାନେ ସର୍ତ୍ତ ପୂରଣ ସମୟ ସୀମା ବୃଦ୍ଧି କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version