Site icon Odisha.com

ଡ଼ାଲି ଦୁର୍ନୀତି ନେଇ ପୁଣି ହଟ୍ଟଗୋଳ, ଗୃହ ମୁଲତବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ସର୍ବଦଳୀୟ ବୈଠକରେ ସରକାରଙ୍କ ଠାରୁ ପ୍ରତିଶୃତ ପାଇବା ପରେ କେବଳ ଗୋଟିଏ ଦିନ ଗୃହରେ ସହଯୋଗ କରିଥିବା ବିରୋଧି ସଭ୍ୟମାନେ ସୋମବାର ଡ଼ାଲି ଦୁର୍ନୀତି ନେଇ ପୁଣି ହଟ୍ଟଗୋଳ କରିଛନ୍ତି ।

ଫଳରେ ଦେଖାଦେଇଥିବା ଅଚଳାବସ୍ଥା ଏଡ଼ାଇବା ପାଇଁ ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବି ରଖିବାକୁ ପଡ଼ିଛି ।

ଶୂନ୍ୟ କାଳରେ ପ୍ରଥମେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ଡ଼ାଲି ଦୁର୍ନୀତି ପ୍ରସଙ୍ଗ ଉଠାଇ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶୃ୍ତି ଦେଇଥିଲେ ତାହା ଅ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ ବୋଲି କହିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଜିଲ୍ଲାରେ ତଦନ୍ତ ଶେଷ ହୋଇଛି ତାହାର ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇ ନାହିଁ ଓ ସରକାର ଜାଣି ଶୁଣି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଚାପି ଦେବା ପାଇଁ ଉଦ୍ୟମ କରୁଛନ୍ତି, ସେ ଅଭିଯୋଗ କରିଥିଲେ ।

ପରେ ଅନ୍ୟ ସଦସ୍ୟମାନେ ଗୃହରେ ତଦନ୍ତ ରିପୋର୍ଟ କେବେ ଉପସ୍ଥାପନ ହେବ ବୋଲି ଜାଣିବାକୁ ଚାହିଁଥିଲେ । ଏହାକୁ ନେଇ କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ ।

ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୨ଟା ୨ରୁ ୧୨ଟା ୪୫ ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ପରେ ଉପବାଚସ୍ପତି ଗୃହକୁ ଦ୍ଵିତୀୟ ଥର ପାଇଁ ଦଶ ମିନିଟ୍ ଓ ଶେଷରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ।

ଓଡିଶା ଡଟ୍ କମ୍

Exit mobile version