Site icon Odisha.com

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ୧୧ ବର୍ଷ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୫ (ଓଡିଶା ଡଟ୍ କମ୍) ରାଜ୍ୟରେ ବିଜୁ ଜନତା ଦଳ(ବିଜେଡି)ଏକ ଦଶନ୍ଧୀ ଧରି ଶାସନ
କରିଆସିଥିବା ବେଳେ ଶନିବାର ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଏଗାର ବର୍ଷ ପୂରଣ କରିଛନ୍ତି ।

୨୦୦୦ ମସିହା ମାର୍ଚ୍ଚ ପାଞ୍ଚ ତାରିଖରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
ତା’ପରେ ୨୦୦୪ ଓ ୨୦୦୯ ନିର୍ବାଚନରେ ମଧ୍ୟ ସେ ପଦବୀ ଅଳଙ୍କୃତ କଲେ ।

ଗତ ଏଗାର ବର୍ଷ ମଧ୍ୟରେ ସେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ଏଡାଇଯାଇଛନ୍ତି । ଓଡିଶାର
ମୁଖ୍ୟମନ୍ତ୍ରୀ ହୋଇ ଓଡିଆ ଭାଷା ଉପରେ ତାଙ୍କର କମ୍ ଜ୍ଞାନ ଯୋଗୁଁ ବହୁ ଲୋକ, ନେତା ଭାବେ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ଗତ ଏଗାର ବର୍ଷ ମଧ୍ୟରେ ଗରିବଙ୍କ ପାଇଁ ଦୁଇ ଟଙ୍କିଆ ଚାଉଳ, ବିଜୁ କେବିକେ, ବିଜୁ କନ୍ଧମାଳ-ଗଜପତି ଯୋଜନା, ମଧୁବାବୁ ପେନ୍ସନ ଯୋଜନା, ମୋ କୁଡ଼ିଆ ଭଳି ବହୁ ଜନହିତକାରୀ ଯୋଜନା ଆରମ୍ଭ କରିଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟରେ ରହିଛି କଳିଙ୍ଗନଗର ଗୁଳିକାଣ୍ଡ, କନ୍ଧମାଳ ଦଙ୍ଗା ଓ ବିଜେପି ସହିତ କରିଥିବା ମେଣ୍ଟ ଭାଙ୍ଗିବା । ସରକାର ଶିଳ୍ପାୟନକୁ ଅଗ୍ରାଧିକାର ଦେଇ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ସହ ୮୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି ।

ପୋସ୍କୋ, ବେଦାନ୍ତ, ଆର୍ସେଲର-ମିତ୍ତଲ, ଟାଟା ଷ୍ଟିଲ ଓ ଅନ୍ୟ କେତେକ ଛୋଟ ବଡ କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ପାଇଁ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର କରିଛନ୍ତି । କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ରାଜ୍ୟବାସୀଙ୍କୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଦେବାକୁ କହୁଥିବା ନବୀନ ସରକାରଙ୍କ ନାଁରେ ଖଣି ଦୁର୍ନୀତି, ଡ଼ାଲି ଦୁର୍ନୀତି ଭଳି ମହା ଅଭିଯୋଗ ଆସିଛି ।

ଏହି ଶାସନ କାଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ପୂର୍ବରୁ ଦୁଇ ତିନୋଟି ଜିଲ୍ଲାରେ ସେମାନଙ୍କ ଉପସ୍ଥିତି ଜଣାପଡ଼ୁଥିବା ବେଳେ ବର୍ତ୍ତମାନ ୨୦ରୁ ଉର୍ଦ୍ଧ୍ଵ ଜିଲ୍ଲାରେ ସେମାନେ କାୟାବିସ୍ତାର କରିସାରିଲେଣି ।

ଦୁର୍ନୀତି ଓ ଅଭିଯୋଗ ସରକାରଙ୍କ ପିଛା ଛାଡ଼ୁନଥିବା ବେଳେ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରି ତିନି ତିନି ଥର ରାଜ୍ୟର ଶାସନ ଭାର ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version