Site icon Odisha.com

ନରେଗା: ମୁଖ୍ୟମନ୍ତ୍ରୀ ଓ ଅନ୍ୟ ତିନି ମନ୍ତ୍ରୀଙ୍କ ଇସ୍ତଫା ଦାବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ମିଶନ(ଏମ୍ଜିଏନ୍ଆର୍ଇଜିଏ) ରେ ରାଜ୍ୟରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତକୁ ପ୍ରଭାବମୁକ୍ତ କରିବା ପାଇଁ ମଙ୍ଗଳବାର ରାଜ୍ୟ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ତିନି ଜଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।

ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ଘୋଷଣା ସ୍ୱାଗତଯୋଗ୍ୟ ତେଣୁ ଏହାର ସଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତ୍ତମାନର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବରୁ ବିଭାଗ ଦାୟିତ୍ୱରେ ଥିବା ରଘୁନାଥ ମହାନ୍ତି ଓ ସଞ୍ଜୀବ ସାହୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଏକ ସାମ୍ବାଦିକ ସମିଳନୀରେ କୁହାଯାଇଛି ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର କୌଣସି ଦପ୍ତର ନଥିବାରୁ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ଉପରେ ନିର୍ଭରଶୀଳ ।

ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ମନିଟରିଂ କମିଟିର ମୁଖ୍ୟ ଥିବା ବେଳେ ଏହି ଯୋଜନାର କାର୍ଯ୍ୟକାରୀ କରିବା ପାଇଁ ସେ ଯେତିକି ତତ୍ପରତା ପ୍ରକାଶ କରିବା କଥା କରିନାହାନ୍ତି ବୋଲି ଉପସ୍ଥିତ ନେତାମାନେ କହିଛନ୍ତି ।

ଏହି ଦୁର୍ନୀତିର ପର୍ଦ୍ଦାଫାଶ ପାଇଁ ସିବିଆଇ ତଦନ୍ତ ଘୋଷଣା କରାଯାଇଛି ତେଣୁ ଆଠଟି ଜିଲ୍ଲା ପରିବର୍ତ୍ତେ ସମସ୍ତ ୩୦ଟି ଜିଲ୍ଲାକୁ ଏହାର ପରିସରଭୁକ୍ତ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version