Site icon Odisha.com

ଖଣି ଦୁର୍ନୀତି ମାମଲା: ହାଇକୋର୍ଟରେ ଶୁଣାଣି ଶେଷ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବହୁ କୋଟି ଟଙ୍କାର ଖଣି ଦୁର୍ନୀତି ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ଶେଷ ହୋଇଥିବା ବେଳେ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି ।

ମୁଖ୍ୟ ବିଚାରପତି ଭି. ଗୋପାଳଗୌଡ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି ।

ଖଣି ଦୁର୍ନୀତି ସମ୍ପର୍କରେ ସିବିଆଇ ତଦନ୍ତ ତଥା ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟରେ ୯ଟି ମାମଲା ରୁଜୁ ହୋଇଥିଲା ।

ଦୁର୍ନୀତି ଯୋଗୁ ରାଜ୍ୟ ସରକାରଙ୍କ ଯେଉଁ କ୍ଷତି ଘଟିଛି ତାହା ଏଥିରେ ସଂପୃକ୍ତ ଥିବା ଅଧିକାରୀଙ୍କ ଅ।ଦାୟ କରିବା ପାଇଁ ଆବେଦନକାରୀମାନେ କୋର୍ଟକୁ ଅନୁରୋଧ କରିଥିଲେ । ମାମଲା ବହୁଦିନ ଧରି ଶୁଣାଣି ହେବା ପରେ ଖଣ୍ଡପୀଠ ଶୁଣାଣି ସମାପ୍ତ କରି ରାୟକୁ ସଂରକ୍ଷିତ ରଖିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ଅଶୋକ ମହାନ୍ତି ଓ ସ୍ୱତନ୍ତ୍ର ଭାବେ ନିୟୋଜିତ ସୁପ୍ରିମକୋର୍ଟ ଆଇନଜୀବୀ ଏହି ଦୁର୍ନୀତିର ସିବିଆଇ ତଦନ୍ତ କରାଯିବା ଯୁକ୍ତିକୁ ବିରୋଧ କରିଥିଲେ ।

ଆବେନକାରୀ ପକ୍ଷରୁ ଆଇନଜୀବୀ ନରସିଂହ ମିଶ୍ର ଓ ଦିଲୀପ ମହାପାତ୍ର ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version