Site icon Odisha.com

 ପୋସ୍କୋ ବିରୋଧୀଙ୍କ ଦ୍ୱାରାସରକାରଙ୍କ ରିପୋର୍ଟର ନକଲ ପୋଡ଼ି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅପ୍ରେଲ ୧୫(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ପ୍ରକଳ୍ପକୁ ଚୁଡ଼ାନ୍ତ ମଞ୍ଜୁରୀ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ପରିବେଶ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟକୁ ମିଥ୍ୟା ଦର୍ଶାଇ ବିରୋଧିମାନେ ଢିଙ୍କିଆ ପଞ୍ଚାୟତର ପାଟଣା ହାଟ ଠାରେ ଶୁକ୍ରବାର ଏହି ରିପୋର୍ଟହ ନକଲକୁ ପୋଡ଼ି ଦେଇଛନ୍ତି ।

ସରକାରଙ୍କ ଚାପରେ ଜିଲ୍ଲା ପ୍ରଶାସନ ପ୍ରସ୍ତାବିତ ଅଞ୍ଚଳରେ କୌଣସି ଆଦିବାସୀ ବସବାସ କରୁନଥିବା ଦର୍ଶାଇ ରିପୋର୍ଟ ପ୍ରଦାନ କରିଛି ବୋଲି ଏହି ଅବସରରେ ଆୟୋଜିତ ସଭାରେ ବିରୋଧିମାନେ କହିଛନ୍ତି ।

ପ୍ରକଳ୍ପକୁ ଚୁଡ଼ାନ୍ତ ପରିବେଶ ମଞ୍ଜୁରୀ ଦେବା ପାଇଁ ସରକାର ମିଥ୍ୟା ରିପୋର୍ଟ ଦେଇଥିବା ବେଳେ ଏସଂପର୍କରେ ପଲ୍ଲିସଭା ମାଧ୍ୟରେ ସ୍ଥାନୀୟ ଲୋକଙ୍କ ମତାମତକୁ ଅଗ୍ରାଧିକାର ଦେବାକୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସରକାର ଏଭଳି ମିଥ୍ୟା ରିପୋର୍ଟ ପ୍ରଦାନ କରିଥିବାରୁ ଲୋକମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସମୁଦାୟ ସାତଟି ଆଦିବାସୀ ପରିବାରର ୨୨ ଜଣ ସଦସ୍ୟ ଗଡ଼କୁଜଙ୍ଗ ପଞ୍ଚାୟତର ପୋଲାଙ୍ଗ ଗ୍ରାମରେ ବସବାସ କରୁଛନ୍ତି ବୋଲି ପଞ୍ଚାୟତ ସମିତି ସଭ୍ୟ ବାସୁଦେବ ବେହେରା କହିଛନ୍ତି ।

ସାତଟି ପରିବାର ମଧ୍ୟରୁ ଚାରୋଟି ପରିବାର ପ୍ରତେକ ୧୬ ଡ଼େସିମାଲ ଜମିର କାଗଜପତ୍ର ଗ୍ରହଣ କରିଛନ୍ତି । ସେହିପରି ଦୁଇଟି ଆଦିବାସୀ ପରିବାର ପ୍ରକଳ୍ପ ପାଇଁ ସେମାନଙ୍କ ଜମି ଦେବାକୁ ଗତ ବର୍ଷ ଚେକ୍ ଗ୍ରହଣ କରିଛନ୍ତି ।

ରାଜ୍ୟ ରାଜସ୍ୱ ବିଭାଗରୁ ୧୯୨୮ ମସିହାର ଏକ ମାନଚିତ୍ର ଆମେ ହାସଲ କରିଛୁ ଯେଉଁଥିରେ ଜଙ୍ଗଲ ଜମିରେ ୭୫ ବର୍ଷ ତଳେ ଲୋକମାନେ ପାନ ଚାଷ କରି ଜୀବୀକା ନିର୍ବାହକରୁଥିବା ସରକାରଦ ର୍ଶାଇଛନ୍ତି, ଢିଙ୍କିଆ ସରପଞ୍ଚ ଶିଶିର ମହାପାତ୍ର କହିଛନ୍ତି ।

ଜଙ୍ଗଲ ଅଧିକାର ଆଇନ ଉଲଂଘନ କରିଥିବାରୁ ପୋସ୍କୋ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଶତାଧିକ ପୁରୁଷ, ମହିଳା ଓ ଶିଶୁମାନେ ଜଗତସିଂହପୁର ଜିଲ୍ଲାପାଳ ଓ ଏର୍ସମା ବିଡ଼ିଓଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ସଂପୃକ୍ତ ଅଞ୍ଚଳରୁ ପ୍ରକଳ୍ପ ନହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଭାପତି ଅଭୟ ସାହୁ ଆୟୋଜିତ ସଭାରେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version