Site icon Odisha.com

ଭୂତ ସବାର(କଥା -କିଂଚିତ)

ରବି କାନୁନ୍ଗୋ

ଭୂତ ଏକ ଆନୁମାନିକ ବିଜ୍ଞାନ । କେତେ ଶାସ୍ତ୍ରରେ ଯୋଡ଼ା । ଭୂତ ଦମ୍ଭିଲା ଲୋକଙ୍କର କିଛି କରି ପାରେନି । ଏମାନଙ୍କ ସଂଖ୍ୟା କମ୍ । ହୁସିଆର ଲୋକଙ୍କ ସଂଖ୍ୟା ସବୁଠୁଁ ଅଧିକ । ସେମାନଙ୍କର ବି କିଛି କରି ପାରେନି ।

ତାବିଜ ପିନ୍ଧି, ମନ୍ତ୍ର ତନ୍ତ୍ର କରି ଯେମିତି ହେଲେ କଡ଼ ଭାଙ୍ଗି ଭୂତଠୁଁ ଦୂରଛଡ଼ା ହୋଇ ୟାଡ଼େସ୍ୟାଡ଼େ ପଳାନ୍ତି । ସେ ସବାର ହୁଏ ବେଶି ତର୍କାଙ୍କ ଉପରେ ।

ଆଲୁଅ ଅନ୍ଧାର ନ ମାନି ସେମାନଙ୍କୁ ସବୁବେଳେ ଗୋଡ଼ୋଉଥାଏ । ପାଖରେ ଟର୍ଚ୍ଚ ଥିଲେ ବି ଭୂତ ଆଗେ ତାକୁ ହାତରୁ ଖସେଇ ଦିଏ ଓ ତା’ପରେ ସବାର ହୁଏ ।

କିସମ କିସମର ଭୂତ । କିଏ ଥରେଅଧେ କାହାଠିଁ ଲାଗି ଗୁଣିଆ ଝଡ଼ାରେ ଏକାଥରକେ ଯାଏ ଯେ ଆଉ ଏ ସଂସାରରେ ତା ନାଁ ଶୁଣା ଯାଏନି । ଆଉ କେତକ ନିହାତି ବଜ୍ଜାତ । ସବୁବେଳେ ହୁମସ୍ତ କରୁଥିବେ । ଏବେ ଲୋକସଂଖ୍ୟା ଏତେ ଯେ ତାହା ଭୂତ ସଂଖ୍ୟା ହ୍ରାସର କାରଣ ହେଲାଣି । ମଶାଣି ତ ବଜାର ହେଲା, ଭୂତ ରହିବେ କେଉଁଠି?

ତେବେ ବି ସେମାନେ ବିଦ୍ୟମାନ । ଖବରକାଗଜ ବିବରଣୀ ଯିଏ ଠିକ ହୋଇଥାଏ, ଭୂତ କୁଆଡ଼େ ମଣିଷ ହେରେ ପଶି ପ୍ରେତର ସତକଥାଗୁଡ଼ା କୁହାଇ ଦିଏ । କେଶ୍ କ୍ଲୋଜ୍ କରିବାକୁ ଯାଉଥିବା ପୁଲିସ ସେଥିରୁ ପ୍ରମାଣ ପାଏ । ଦୋଷୀ ଦଣ୍ଡ ପାଆନ୍ତି । ତେଣୁ ଭୂତ ନାହାଁନ୍ତି ବୋଲି କେମିତି କହିବା?

ସେମାନେ ଆହୁରି ଅଦୃଶ୍ୟ ଜାଗା ବାଛି ନେଇଛନ୍ତି । ମୋଟ୍ରୋ-ସିଟିର ପାର୍କରେ ବା ରୋପ୍-ୱେ କ୍ୟାବିନ ଭିତରେ ମିଳୁଛନ୍ତି । ଅନେକ ଅବସ୍ଥାରେ ମଣିଷ ସତ କହିବାକୁ ବାଧ୍ୟ ହୋଇଥାଏ, ଭୂତ ଗ୍ରାସିଲେ ଯେ ସେ ସତ କହେ – ଏକଥା ଅମାନ୍ୟ କରିବା ଚାରା ନାହିଁ ।

ନବୀନ ସରକାରଙ୍କ ୧୧ ବର୍ଷର ସମୁଦାୟ ସରକାର, ଆଗେ କୁହାଯାଇଥିବା ତର୍କା ପର୍ଯ୍ୟାୟର । ଶୁଷୁରି ମାରି ଭୂତକୁ ଡାକେ – ଆ ସବାର ହବୁ । ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ କଥାଟା ଟିକେ ନିଆରା । ସେ ନିଜେ ମଳୁ ଓ ନିଜେ ବି ଗୁଣିଆ ।

ଏନ୍ଡ଼ିଏ ଶାସନରେ ଓଡ଼ିଶା କ’ଣ ଅବିଚାର ଓ ଅପସ୍ତର ଶିକାର ହୋଇ ନଥିଲା କି? ନବୀନଙ୍କର ହୋଲ୍ ନଥିଲା କି ଡୋଲ୍ ନ ଥିଲା । କାରଣ ସେ ଥିଲେ ପ୍ରଥମ ପରିଚୟରେ ବିଜୁବାବୁଙ୍କ ପୁଅ ଓ ଦ୍ୱିତୀୟ ଥିଲା – ମୁଖ୍ୟମନ୍ତ୍ରୀ । ଭାଜପା ତାଙ୍କ ଉପରେ ସବାର ହେଲା ।

‘ବୁଧବାର ଶୁକ୍ରବାର ତୋଟା ଆଡ଼କୁ ଯିବୁନି’ – ଗୁଣିଆଙ୍କ ସାଧାରଣ ପ୍ରତିକାର ଉପଦେଶ ମାନିବା ପରି ସେ ତାବିଜ ପିନ୍ଧି ଭାଜପା ସାଙ୍ଗରେ ଚାଲିଲେ । ଭୂତ ଗୁଣିଆ ଭିତରେ ଲଢ଼େଇ ଚାଲିଥାଏ । କେନ୍ଦ୍ର ଅବହେଳା କରି ଚାଲିଥାଏ, ନବୀନ ଚିଠି ଲେଖୁଥା’ନ୍ତି । ତ୍ରାହି ପାଇବାକୁ ଗୁଣିଆ ଶେଷରେ ଲୁହାକଣ୍ଟା ପୋତୁଥିବା ପରିଶେଷରେ ସେ ଭାଜପାକୁ ରାଜ୍ୟରୁ ନିପାତ କଲେ ।

ସେକେଣ୍ଡ୍ ଇନିଙ୍ଗରେ ସେ କଂଗ୍ରେସ ହାବୁଡ଼େ ପଡ଼ିଛନ୍ତି ବା କଂଗ୍ରେସ ତାଙ୍କ ହାବୁଡ଼େ ପଡ଼ିଛି । କେନ୍ଦ୍ର କଂଗ୍ରେସର ସ୍ନେହ ସ୍ଭାବ ତାଙ୍କ ପ୍ରତି କେବେ କମ୍ ପରି ଜଣା ପଡ଼ୁ ନଥିଲା ବା ଆଜି ମଧ୍ୟ ନୁହେଁ । ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିୟନ୍ତ୍ରିତ କର୍ମନିଯୁକ୍ତି ଯୋଜନା (ମଗା-ନରେଗା) ଏବେ ଯେତେକଥା ଘଟୁଚି ଏଥିରେ ରାଜନୀତି ଭୂତ ମୋଟୁରୁ ନାହାଁନ୍ତି ।

ସବୁ ଆସିଛି ସୁପ୍ରିମକୋର୍ଟ ଜରିଆରେ ପାଖକୁ । ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ‘ମଗା-ନରେଗା’ ପଇସା ପୁଣି ସବୁ ରାଜ୍ୟ ନେଇଛନ୍ତି ନା ନାଇଁ? ସମସ୍ତେ ଦୁର୍ନୀତି କରିଛନ୍ତି । କେନ୍ଦ୍ର ଏତେ ଓଡ଼ିଶା ପଛରେ କାହିଁକି ପଡ଼ିଛି? ଶୁଣିବାକୁ ଅସଣ୍ଠଣା ଲାଗୁ ପଛେ, ଇଏ ଗୋଟେ ପଏଣ୍ଟ୍ ।

‘ଖର୍ଚ୍ଚ ନକଲେ ମଲ । ଚଳୁ କଲେ ବିଶେଷ ଦୋଷ ନାହିଁ’-ଏହିପରି ଅଲିଖିତ ଆଦେଶରେ ଜଡ଼ସଡ଼ ‘ମଗା ନରେଗା’ର ଅବସ୍ଥା ଆଜି କ’ଣ? ମଣିଷ ବଳରେ ମେସିନ କାମ କରି ଚାଲିଛି, ଫର୍ଜି ଜବ୍କାର୍ଡ ଏବେ ବି ତିଆରି ଚାଲିଛି, କଲେକ୍ଟରଙ୍କ ନୂଆ କୋଠା ଓ ସୁରମ୍ୟ ଉଦ୍ୟାନ ତିଆରି ହେଉଛି ଭୋକିଲାଙ୍କର ଏ ପଇସାରେ ।

ବରବାଦୀର ଲମ୍ବା ତାଲିକା । କେନ୍ଦ୍ର ସରକାର ସିବିଆଇ ତନ୍ତ ପାଇଁ ଆଦେଶ ଦେଇଛନ୍ତି ୨୦୦୬-୦୭, ମାତ୍ର ଗୋଟିଏ ବର୍ଷ ପାଇଁ । ୭୦୦ରୁ ୫୦୦ କୋଟି ଲୁଟ୍ ଅଭିଯୋଗ ।

ମୁଖ୍ୟମନ୍ତ୍ରୀ ଯେତେ ଦମ୍ଭିଲା ଦେଖାଯାଉଥିଲେ ବି ସରକାର ଭିତରେ ସମସ୍ତେ ଛାନିଆ । ଯୋଉ ଯୋଜନା ଆସୁ – ଆଗେ ସେଥିରୁ କେତେ ଖାଇବୁ, ଏ ନଷ୍ଟ ଲୁଣ୍ଠିତ ମାନସିକତାରେ ସମୃଦ୍ଧ ଆମ ବାବୁମାନଙ୍କ ଦ୍ୱାରା ଯୋଜନା ଅର୍ଥ ବିନର୍ବ୍ୟୟ ଏକ ସାଧାରଣ ଘଟଣା ।

କେନ୍ଦ୍ର ସରକାରର ୨୦୦୬-୦୭ରୁ ଆରମ୍ଭ ଏହି ଚମକ୍ରାର ଫ୍ଲାଗ୍ସିପ୍ ପ୍ରୋଗ୍ରାମ୍ ତେଣୁ ଆଜି ଚୌପଟ । ଅସଂଖ୍ୟ ଯୋଜନାର ବୁଢ଼ୀଆଣୀ ଜାଲ ଭିତରୁ ଗୋଟାଏ ଖୋଜିଲେ ସହସ୍ର ମଲା ମାଛି ମିଳିବେ । ସବୁ କଳଙ୍କ ଖୋଜିବାକୁ ଅଦାଲତର ସାଧ୍ୟ ବା କେତେ?

ଯୋଜନା ନାଁରେ କେନ୍ଦ୍ର ପଇସା ଫୋପାଡ଼ି ଦିଏ ରାଜ୍ୟ ପାଖକୁ । ନିଜ ପଇସା ନିଜେ ଖର୍ଚ୍ଚ ନ କରିବା ବା ଆଉ କିଏ କରୁଥିଲେ, ତହିଁର ତଦାରଖ ନ କରିବା ଦୋଷରେ ଏବେ ସୁପ୍ରିମକୋର୍ଟ ଦ୍ୱାରା କେନ୍ଦ୍ର ସରକାର ଅଭିଯୁକ୍ତ । କୋର୍ଟ ସେଥିପାଇଁ ସିବିଆଇ ତନ୍ତ ପାଇଁ ଆଦେଶ ଦେଲେ ।

ଆଇନ ଅମାନ୍ୟ ନ କରି ରୁରାଲ ଡେଭେଲପ୍ମେଣ୍ଟ ମନ୍ତ୍ରାଳୟ ଜଣେ ଅଫିସର ସିବିଆଇକୁ ତନ୍ତ ପାଇଁ ହୁକୁମନାମା ଜାରି କଲେ । କେନ୍ଦ୍ର ଏବେ କୋର୍ଟକୁ ଜଣେଇବ – ଆମେ ତନ୍ତ ଆଦେଶ ଦେଇଛୁ ।

ନବୀନଙ୍କୁ ଭାଜପା କି କଂଗ୍ରେସର ରାଜନୀତି ଏଯାଏ ଟିକେ ବି ହଲେଇ ପାରିନି । ତାଙ୍କ ପାଇଁ ସମସ୍ୟା ହେଉଛି  କୋର୍ଟକଚେରି । ଇଏ ସେଥିରୁ ଗୋଟିଏ । ଯେତେ ସଂକୀର୍ତ୍ତନ ଖଣିମାଡ଼ ଶୁଣିବାକୁ ମିଳୁଥିଲେ ବି, ଏଥିରେ ରାଜନୀତି ନାହିଁ ।

ସମାପ୍ତ

(ବ୍ରି: ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)
ଓଡ଼ିଶା ଡ଼ଟ୍ କମ୍ର ଘୋଷଣାନାମା

 

Exit mobile version