ମହାମେଘବାହାନ ଐର ଖାରବେଳ ସ୍ୱାଇଁ, ପୂର୍ବତନ ସାଂସଦ
ଯେଉଁ ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ରେ ପ୍ରତିଷ୍ଠା ପାଇଁ ୧୯୯୬ରେ କଳାହାଣ୍ଡି ସାଂସଦ ଦାବି କରିଥିଲେ ମଧ୍ୟ ଆଜି ସେ ଓ ତାଙ୍କର ଦଳ ଏହାର ବିରୋଧ କରିବା ତଥା ବିରୋଧ କରି ବିଫଳ ମଧ୍ୟ ହେବା ଏକ ଆଶ୍ଚର୍ଯ୍ୟର ବିଷୟ ।
ବୈତିତ୍ର ହେଉଛି ଯେଉଁ କେନ୍ଦ୍ରୀୟ ସରକାରର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ପରିବେଶ ସୁପାରିଶ ଯୋଗୁଁ ବେଦାନ୍ତ ଆଲୁମିନା ସେଠାରେ ତା’ର ବର୍ଷକୁ ୧୦ ଲକ୍ଷ ଟନ୍ ଆଲୁମିନା ଉତ୍ପାଦନ ଆରମ୍ଭ କରିଥିଲା ଓ ସେତେବେଳେ ରାହୁଲ ଗାନ୍ଧୀ ଏହି ସୁପାରିଶକୁ ବିରୋଧ କରିନଥିଲେ ।
ସେହି ମନ୍ତ୍ରାଳୟ ଆଜି ପରିବେଶ ସୁପାରିଶ ପ୍ରତ୍ୟାହାର କରିେଇଛି ଓ ଏହାର ମାତ୍ର ଦୁଇଦିନ ମଧ୍ୟରେ ରାହୁଲ ଗାନ୍ଧୀ ଆସି ଏହାର କୃତିତ୍ୱ ପରୋକ୍ଷ ଭାବରେ ନିଜେ ନେଇ ନିଜକୁ ଆଦିବାସୀଙ୍କ ସିପାହୀ ହିସାବରେ ଉପସ୍ଥାପିତ କରୁଛନ୍ତି ।
ଏହାର ବୈଚିତ୍ରକୁ ନିଜେ ଅନୁଶୀଳନ କରିବା ପାଇଁ ପ୍ରାବନ୍ଧିକ ଗତ ସପ୍ତାହରେ ଲାଞ୍ଜିଗଡ଼ ଓ ନିୟମଗିରି ପାହାଡ଼ ତଥା ତା’ ଉପରେ ଥିବା ଡ଼ୋଙ୍ଗରିଆ ଓ କୁଟିଆ କନ୍ଧ ମାନଙ୍କ ଗାଁକୁ ଯାଇଥିଲା ତଥା ସେଠାରେ ଲୋକ ମାନଙ୍କ ସହ ବସି ଘଣ୍ଟାଘଣ୍ଟା କଥା ହୋଇଥିଲା । କଥା ହେବାର ଅଳ୍ପ କେଇ ମୁହୁର୍ତ୍ତ ମଧ୍ୟରେ ବେଦାନ୍ତ ସେଠାରେ କାହିଁକି ଜନସମର୍ଥନ ହରାଇଛି, ତାହା ବେଶ ବୁଝିହୋଇଗଲା ।
ବେଦାନ୍ତ ଆଲୁମିନା ସେଠାରେ ପ୍ରତିଷ୍ଠା ହେବା ବେଳେ ସେଠାରେ ଥିବା ଜଣେ ଦକ୍ଷ ଆଇଏଏସ୍ ଜିଲ୍ଲାପାଳ ପ୍ରତିଦିନ ସକାଳୁ ଆସି ପୋଲିସ ସହ ସେହି ଆଦିବାସୀ ଗାଁମାନଙ୍କର ପଥର ଉପରେ ବସି ଲୋକମାନଙ୍କୁ ଗାଁ ଛାଡ଼ି ଦେବାକୁ ବୁଝାଇଥିଲେ ।
ସେ ଗାଁ ପିଣ୍ଡାରେ ବସୁନଥିଲେ କି ଚେୟାର ଉପରେ ବସୁନଥିଲେ । ଲୋକମାନଙ୍କୁ ବୁଝାଉଥିଲେ ଯେ, କମ୍ପାନୀ ଆସିଲେ ସେମାନଙ୍କର ବିକାଶ ହେବ । ଗାଁକୁ ପକ୍କା ସଡ଼କ ତିଆରି ହେବ । ସ୍କୁଲ ପ୍ରତିଷ୍ଟା ହେବ । ବଡ଼ବଡ଼ ଡ଼ାକ୍ତରଖାନା ମଧ୍ୟ ପ୍ରତିଷ୍ଟା ହେବ । ଆଉ ଗାଁ ଲୋକମାନେ ସମସ୍ତେ ଚାକିରି ପାଇବେ ଯାହା ଫଳରେ ସେମାନଙ୍କର ଆର୍ଥିକ ବିକାଶ ହେବ ।
ଯେଉଁ ଆଦିବାସୀମାନେ କଥା ନମାନିଲେ ସେମାନଙ୍କୁ ଜବରସ୍ତ ପୋଲିସ ଗାଡ଼ିରେ ଉଠେଇ ନିଆଗଲା । ମୋଟ ୪ଟି ଗାଁକୁ ଉଠାଇ ଅନ୍ୟତ୍ର କଲୋନୀ ମାନଙ୍କରେ ପୁନର୍ବାସ ଦିଆଗଲା ।
କିନ୍ତୁ କିଛି ଏନ୍ଜିଓ ମାନେ ଆସି ଏହାକୁ ବିରୋଧ କଲେ ଓ ଜଣେ କନ୍ଧ ନେତା କୁମୁଟା ମାଝୀଙ୍କୁ ମଧ୍ୟ ଲଣ୍ଡନ ନେଇଗଲେ, ସେଠାରେ ଅନ୍ୟ ଆନ୍ତର୍ଜାତିକ ଏନ୍ଜିଓ ମାନଙ୍କ ସହ ମିଶି ବେଦାନ୍ତ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ।
କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ବେଦାନ୍ତ ପ୍ରତିଷ୍ଠା ହେଲା, ସେତେବେଳେ ସେଠାରେ ବିରୋଧି ଦଳର ମୁଖ୍ୟ
ନେତାମାନଙ୍କୁ ମଧ୍ୟ ବେଶ୍ ଅର୍ଥ ଦେଇ କିଣି ନିଆଗଲା । ତେଣୁ କେବଳ ସରକାରୀ ଦଳ ନୁହେଁ, ବିରୋଧି ଦଳ ପକ୍ଷରୁ ମଧ୍ୟ କୌଣସି ବିରୋଧ ମଧ୍ୟ ହେଉନାହିଁ ।
ବେଦାନ୍ତ ପଛରେ ଯେ କେବଳ ରାଜ୍ୟ ସରକାର ରହିଲେ ସେତକ ନୁହେଁ, ଜିଲ୍ଲାପାଳଙ୍କୁ ମଧ୍ୟ ଏହି କମ୍ପାନୀ
ସେଠାକୁ ଆଣିଥିଲା ବୋଲି ସେଠାକାର ଜନସାଧାରଣଙ୍କ ବିଶ୍ୱାସ । କିନ୍ତୁ ମୁଖ୍ୟ କଥା ହେଲା, ବେଦାନ୍ତ ରାଜ୍ୟ
ସରକାର, ରାଜନେତା, ଜିଲ୍ଲାପାଳ, ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କୁ ବିଭିନ୍ନ ଉପାୟରେ କରାୟତ୍ତ
କରିନେଲା, କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ହୃୟକୁ ଯେ ଜିତିବାର ଆବଶ୍ୟକତା ଅଛି, ସେ କଥା ପୂରାପୂରି ଭୁଲିଗଲା ।
ଉଦାହରଣ ସ୍ୱରୂପ, କାରଖାନା ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ପ୍ରଥମ ଗାଁ ଜଗନ୍ନାଥପୁରରେ ଗାଁ ରାସ୍ତା ନିର୍ମାଣ କରିବା ନିମନ୍ତେ ବେଦାନ୍ତ କେବଳ କେତେ ଗାଡ଼ି ମେଟାଲ ଢାଳି ଦେଇଯାଉଛି ।
ତା’ ଉପରେ ମୋରମ ମଧ୍ୟ ଢାଳିବାକୁ ଇଚ୍ଛା କରିନାହିଁ । ତେଣୁ ଗାଁ ରାସ୍ତରେ କେହି ଚାଲିକରି ଯାଇପାରୁ ନାହାନ୍ତି । ରାସ୍ତାକୁ ରାସ୍ତା ପଡ଼ିଛି । ଲୋକେ ତା’ ଉପରେ ସତର୍କତାର ସହ ଚାଲିକରି ଯାଉଛନ୍ତି ।
ଗୋଟିଏ ମଧ୍ୟ ଘର ସେହି ଗାଁରେ ବେଦାନ୍ତ ଦ୍ୱାରାତିଆରି ହୋଇନାହିଁ । ପଶ୍ଚିମ ଓଡ଼ିଶାର ଅତ୍ୟନ୍ତ ଦରିଦ୍ରଙ୍କ ଖପରଲି ଘର ରହିଛି ସେହି ଗାଁ ସାରା । ନାଳ ବୋଲି ଯାହା ତିଆରି ହୋଇଛି, ତାହା ଭାଙ୍ଗି ଗଲାଣି ଓ ପୋତି ହୋଇଗଲାଣି ।
କିଛି ଦୂରରେ ଅଛି ବଳଭଦ୍ରପୁର । ସେହି ଗାଁରେ ଅଛି ଭଲ ଘର । ଭାବିଥିଲି ବେଦାନ୍ତ ନିର୍ମାଣ କରିଛି । କିନ୍ତୁ ଜାଣିବାକୁ ପାଇଲି, କମ୍ପାନୀ କାମ କରୁଥିବା ଠିକ।ଦାର ଓ ବାହାରର ଶ୍ରମିକମାନେ ସେହି ଘରଗୁଡ଼ିକ ନିଜେ ତିଆରି କରିଛନ୍ତି । କାରଣ ସେମାନଙ୍କ ପାଖରେ ଅର୍ଥ ଅଛି ।
ତା’ ପରେ ଅଛି ବେଦାନ୍ତ କର୍ମଚାରୀ ଓ ଅଫିସରମାନଙ୍କ ପାଇଁ ସୁଦୃଶ୍ୟ କଲୋନୀ । ଚାରିପଟରେ ସୁଦୃଶ୍ୟ ପ୍ରାଚୀର ଘେର । ତା’ଭିତରେ ଅଛି ଚମତ୍କାର ଡ଼ିଜାଇନରେ ତିଆରି ଗୋଟିଏ ପ୍ରାସାଦ । ଏହା ହେଉଛି ହସ୍ପିଟାଲ । ନାମ ତା’ର ଆପୋଲୋ ହସ୍ପିଟାଲ । ଏହା କେବଳ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ, ଜମି ହରାଇଥିବା ଡ଼ୋଙ୍ଗରିଆ ବା କୁଟିଆ କନ୍ଧମାନଙ୍କ ପାଇଁ ନୁହେଁ ।
ପାହାଡ଼ ଉପରକୁ ଗଲାବେଳେ ସ୍କୁଲଟିଏ ମଝିବାଟରେ ଅଛି, ଫଳକ ଲଗାଯାଇଛି । ବେଦାନ୍ତ ଦ୍ୱାରା ନିର୍ମିତ ସ୍କୁଲର ଶିକ୍ଷକ ଓ ଅନ୍ୟମାନେ ଜଣାଇଲେ, ବେଦାନ୍ତ ମାତ୍ରଦୁଇଟି ଶ୍ରେଣୀଗୃହ ନିର୍ମାଣ କରିଛି । ବାକିଗୁଡ଼ିକ ସରକାରଙ୍କ ଦ୍ୱାରାନିର୍ମିତ ।
ଏହାଛଡ଼ା ପାହାଡ଼ ଉପରର ଫୁଲକୁମରି ଗାଁକୁ ଚାଲି ଚାଲି ଗଲା ବେଳେ ତିଆରି ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର । ପକ୍କା ଛାତ ମଝିକୁ ମଝିକୁ ବି ଗଲାଣି । ବେଶିିଦିନ ତିଷ୍ଟିବନି, ବାହାରୁ ମଧ୍ୟ ଜଣାପଡ଼ୁଛି, କେବଳ ଇଟା ଉପରେ ଚୂନ ଲେସା ହୋଇଛି ।
ଆଉ ପାହାଡ଼ ଉପରେ ଫୁଲଡ଼ୁମୁରି ଗାଁରେ ଅଛି କିଛି ଇନ୍ଦିରା ଆବାସ । ସେମାନଙ୍କୁ କିଛି ଟିଣ ଖଣ୍ଡ ବେଦାନ୍ତ ଯୋଗାଉଛି । ଯୋଗାଉଛି ମାସକ ପାଇଁ ୧୬ କେଜି ଚାଉଳ ଆଉ କେତୋଟି ଶାଢୀ । ଝରଣାରୁ ବହି ଆସୁଥିବା ଜଳକୁ ପାଇପ୍ ଯୋଗେ ଗାଁ ଭିତରକୁ ଛାଡ଼ି ଦିଆଯାଇଛି । ପାଣି ଯେଉଁଠି ଆସୁଛି ସେଠି ଯେଉଁ ଚାନ୍ଦିନୀ ତିଆରି ହୋଇଛି, ଅଳ୍ପଦିନ ମଧ୍ୟରେ ଭାଙ୍ଗି ଯିବ ନିଶ୍ଚୟ ।
କୌଣସି ଗୋଟିଏ ଜାଗାରେ ବେଦାନ୍ତ ନିଦର୍ଶନ ଛାଡ଼ିନାହିଁ ଯାହା ପ୍ରମାଣ କରିବ, ସ୍ଥାନୀୟ ଗରିବ ଜନସାଧାରଣଙ୍କ ପାଇଁ ବେଦାନ୍ତ ହୃଦୟ ଦ୍ରବୀଭୂତ ହୋଇଛି । କେବଳ ଯେନତେନ ପ୍ରକାରେଣ କିଛି ବାହାରକୁ ଦିଶୁଥିବା ଶସ୍ତା ଓ ନିମ୍ନମାନର କାମ କରିଛି ବେଦାନ୍ତ । ରାୟଗଡ଼ାରୁ ଯେଉଁ ରାସ୍ତାଟି ନିର୍ମାଣ କରିଛି ଲାଞ୍ଜିଗଡ଼ ଯାଏ, ତାହା ହେଉଛି କେବଳ ବକ୍ସାଇଟ ଅନ୍ୟଆଡ଼ୁ ଆଣିବା ପାଇଁ ।
ସ୍ଥାନୀୟ ଯୁବକମାନଙ୍କୁ ପ୍ରଥମେ ତାଲିମ ଦେବାପରେ କୁହାଯାଇଛି, ତାଲିମ ଦିଆଗଲା ଆଉ ଚାକିରି କ’ଣ? ସେହି ତାଲିମକୁ ଲଗାଇ ନିଜେ କାମ ଖୋଜ ।
ରାଉରକେଲା ପରି, ଆଖପାଖରେ ଯେଉଁ ହୋଟେଲ ସବୁ ଗଢିଉଠିଛି, ସେ ସବୁର ମାଲିକ ହେଉଛନ୍ତି
ଉପକୂଳର ଲୋକମାନେ । ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ସରପଞ୍ଚଙ୍କ କହିବା ଅନୁସାରେ ଦି ‘ହଜାର
ଟଙ୍କାର ଚାକିରି କିଛି ସେମାନଙ୍କୁ କମ୍ପାନୀ ଦେଇଥିଲେ ଆଜି ଏତେ ଗଣ୍ଡଗୋଳ ହୋଇନଥାନ୍ତା ।
ଆଉ ଶେଷରେ ଗାଁର ପରିବାରମାନଙ୍କୁ ମାସକୁ ୫,୦୦୦ ଟଙ୍କା ବାଣ୍ଟିଛି ବେଦାନ୍ତ । ସେମାନେ ଏହି ଟଙ୍କା ନେଉଛନ୍ତି । କିନ୍ତୁ ବେଦାନ୍ତ ଉପରେ ବିଶ୍ୱାସ ନଥିବାରୁ ଏତେ ସୁନ୍ଦର ପାହାଡ଼କୁ ଛାଡ଼ିବାକୁ ରାଜି ନୁହନ୍ତି ଯାହାକୁ ସେମାନେ କହନ୍ତି ଭଗବାନ ।
(ଲାଞ୍ଜିଗଡ଼ରେ ବେଦାନ୍ତ ବିଭିନ୍ନ ନିୟମ ଉଲଂଘନ କରିଥିବା ଦର୍ଶାଇ କେନ୍ଦ୍ର ଜଂଗଲ ଓ ପରିବେଶ ଦେଇଥିବା ମଞ୍ଜୁରୀ ପ୍ରତ୍ୟାହାର କରିବା ପରେ ଏହି ଲେଖା ଲେଖାଯାଇଥିଲା । ଏହାମଧ୍ୟରେ ବେଦାନ୍ତ ନିଜ ତରଫରୁ କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି ବିରୁଦ୍ଧରେ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଓଡ଼ିଶା ସରକାର ମଧ୍ୟ ବେଦାନ୍ତ ସପକ୍ଷରେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି) ।
(ବ୍ରିଦ : ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)
ଲେଖା ସଂପର୍କରେ ପାଠକ ପାଠିକା ସେମାନଙ୍କର ମତାମତ କ୍ଟୟ ସରକାରକୁ ପଠାନ୍ତୁ ।
ଓଡ଼ିଶା ଡ଼ଟ୍ କମ୍
Leave a Reply