Site icon Odisha.com

ଦୁର୍ଘଟଣାରେ ବାଳକର ମୃତ୍ୟୁ ପରେ ଲୋକଙ୍କ ଭ୍ୟାନ ପୋଡ଼ି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅପ୍ରେଲ ୨୨(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ପାରାଦୀପରେ ଇଣ୍ଡିଆ ରିଜର୍ଭ ବାଟାଲିଅନ ଭ୍ୟାନ ଧକ୍କାରେ ଶୁକ୍ରବାର ଜଣେ ବାଳକର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକମାନେ ଭ୍ୟାନ୍ଟିକୁ ପୋଡ଼ି ଦେଇଛନ୍ତି ।

ଲୋକମାନେ ଭ୍ୟାନରେ ନିଅାଁ ଲଗାଇ ଦେବା ସହ ଜଣେ ପୋଲିସ ଅଧିକାରୀଙ୍କୁ ଅପହରଣ କରି ନେଇଯାଇଥିବା ବେଳେ ସେମାନଙ୍କ ଆକ୍ରମଣରେ ଛଅ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଉତ୍ତ୍ୟକ୍ତ ଲୋକଙ୍କ ଉପରକୁ ପୋଲିସ ଫାଙ୍କା ଗୁଳି ଚଳାଇଥିବା ବେଳେ ଲୋକମାନେ ପୋଲିସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଲୁଟି ନେଇ ଓଲଟା ଗୁଳି ଚଲାଇଥିଲେ ।

ଆହତ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଓ ଅନ୍ୟ ଚାରି ଜଣଙ୍କୁ ପାରାଦୀପ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରଙ୍ଗିଆଗଡ଼ ଗ୍ରାମର ୧୪ ବର୍ଷ ବୟସ୍କ ଚନ୍ଦନ ବେହେରା ନାମକ ଜଣେ ବାଳକ ନିଜର ସଂପର୍କୀୟ ଘରକୁ ଯାଉଥିବା ବେଳେ ରେଳ ଷ୍ଟେସନ ନିକଟରେ ଆଇଆର୍ବି ବାଟାଲିଅନ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପ୍ରଚାରିତ ହେବା ପରେ ହଜାର ହଜାର ଲୋକ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ।ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନ ଅଞ୍ଚଳରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version