Site icon Odisha.com

ସାଇବାବାଙ୍କ ଦେହାନ୍ତରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ସତ୍ୟ ସାଇବାବାଙ୍କ ଦେହାନ୍ତରେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସତ୍ୟସାଇ ସେବା ପରମ ଧର୍ମର ପ୍ରତୀକ । ବାବା କେବଳ ଆଧ୍ୟାତ୍ମିକ ମାର୍ଗର କଥା କହୁନଥିଲେ, ଲୋକଙ୍କ ପାଇଁ ବିଭିନ୍ନ ସେବା ପ୍ରଦାନ କରୁଥିଲେ । ସତ୍ୟସାଇଙ୍କ ପାର୍ଥିବ ଶରୀରର ବିଲୟ ଘଟିଛି କିନ୍ତୁ ତାଙ୍କ ଦର୍ଶନ, କର୍ମ ଓ ବାଣୀ ତାଙ୍କୁ ମତ୍ୟୁଞ୍ଜୟୀ କରାଇଛି ବୋଲି ରାଜ୍ୟପାଳ ତାଙ୍କ ବାର୍ତ୍ତାରେ କହିଛନ୍ତି ।

ସତ୍ୟ ସାଇବାବା ମାନବ ସମାଜରେ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ପ୍ରଚାର କରିଯାଇଛନ୍ତି । ସେ ମଣିଷ ଭିତରେ ଦିବ୍ୟ ଚେତନାର ବିକାଶ ପାଇଁ ମାର୍ଗ ଖୋଇଛନ୍ତି । ସତ୍ୟ ସାଇବାବାଙ୍କ ଶରୀର ଆଜି ଅବସାନ ଘଟିଛି କିନ୍ତୁ ତାଙ୍କର ସୂକ୍ଷ୍ମ ଶରୀର ମାନବ ସମାଜକୁ ଜ୍ଞାନ ଓ ସେବାର ମାର୍ଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାଇବାବା ଜଣେ ମହାନ ଧର୍ମଗୁରୁ ଭାବେ କୋଟି କୋଟି ଲୋକଙ୍କୁ ନୈତିକ ତଥା ଆଧ୍ୟାତ୍ମିକ ଜୀବନ ଯାପନ କରିବା ପାଇଁ ଅନୁପ୍ରେରିତ କରିଥିଲେ । ବିଗତ ୫୦ ବର୍ଷରୁ ଉଦ୍ଧ୍ୱର୍ ଧରି ଉଚ୍ଚ ମାନବିକ ମୂଲ୍ୟବୋଧ ପ୍ରଚାରର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଶୋକ ବାର୍ତ୍ତାରେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version