Site icon Odisha.com

ମଦ ବିକ୍ରିକୁ ବିରୋଧ କରି ଦୋକାନ ଭାଙ୍ଗିଲେ ମହିଳା

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍) ମଦ ବିକ୍ରିକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଗାଁରେ ଥିବା ମଦ ଦୋକାନକୁ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ସୋମବାର ଭାଙ୍ଗି ଦେଇଛନ୍ତି ।

ପ୍ରାୟ ଦୁଇ ଶହରୁ ଉଦ୍ଧ୍ୱର୍ ମହିଳା ବରୁଆ ଗ୍ରାମରେ ଥିବା ବିଦେଶୀ ମଦ ଦୋକାନକୁ ଭାଙ୍ଗି ସେଠାରେ ଥିବା ମଦ ବୋତଲ ଗୁଡ଼ିକରେ ନିଅାଁ ଲଗାଇ ଦେବା ସହ ପ୍ରାୟ ତିନି ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ରାସ୍ତା ଅବରୋଧ କରିଥିଲେ ।

ଏହି ଗ୍ରାମରେ କିମ୍ବା ଏହାର ଆଖପାଖ ଅଞ୍ଚଳରେ ମଦ ବିକ୍ରି ନକରିବାକୁ ବହୁବାର ଜିଲ୍ଲାପାଳ, ଏସ୍ପି ଏବଂ ଅବକାରୀ ଅଧିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆମେ ଦୋକାନକୁ ଭାଙ୍ଗି ମଦ ବୋତଲ ଗୁଡ଼ିକୁ ପୋଡ଼ି ଦେଇଛୁ, ଏହି ଗ୍ରାମର ମଞ୍ଜୁଶ୍ରୀ ଦାସ କହିଛନ୍ତି ।

ମହିଳାମାନେ ଦୋକାନ ଭାଙ୍ଗିବାକୁ ଆସିବା ପୂର୍ବରୁ ଏହାର ମାଲିକ ଓଅନ୍ୟ କର୍ମଚରୀ ତାଲା ପକାଇ ଫେରାର୍ ହୋଇଯାଇଥିଲେ ।

ଏଠାରେ ମଦ ଦୋକାନ ଥିବାରୁ ଲୋକମାନେ ରାତିରେ ମଦ ପିଇ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ଅଶାନ୍ତି ସୃଷ୍ଟି କରୁଛନ୍ତି । ତେବେ ସ୍ଥାନୀୟ ପୋଲିସ ଏ ବିଷୟରେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ମଦ ଯୋଗୁଁ ଗ୍ରାମର ଗରିବ ଲୋକମାନେ ସର୍ବସ୍ୱାନ୍ତ ହୋଇଯାଉଛନ୍ତି ତେଣୁ ମଦ ବିରୋଧରେ ଏହି ଆନ୍ଦୋଳନ କରାଯାଇଛି । ଏହି ମଦ ଦୋକାନକୁ ବନ୍ଦ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ, ବରୁଆ ମଦ ବିରୋଧୀ ଅଭିଯାନର ସଭାପତି ସଂପଦ ପରିଡ଼ା କହିଛନ୍ତି ।

ଆଇନ ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କୁ ଏହି ଗ୍ରାମରେ ବିଦେଶୀ ମଦ ଖୋଲିବା ପାଇଁ ଅନୁମତି ଦିଆଇଛି ବୋଲି ଉପ ଜିଲ୍ଲାପାଳ ରଂଜନ ଦାସ କହିଛନ୍ତି ।

ଘଟଣା ପରେ ଉକ୍ତ ଗ୍ରାମରେ ତଥା ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମଦ ଦୋକାନ ମାଲିକ କେତେକ ମହିଳାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version