Site icon Odisha.com

ପୋସ୍କୋକୁ ଚୁଡ଼ାନ୍ତ ଜଙ୍ଗଲ ଜମି ଅନୁମତି

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦ ଦାତା

ଭୁବନେଶ୍ୱର, ମଇ ୨(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସୋମବାର ଚୁଡ଼ାନ୍ତ ଜଙ୍ଗଲ ଜମି ଅନୁମତି ପ୍ରଦାନ କରିଛନ୍ତି ।

ପ୍ରକଳ୍ପ ପାଇଁ ୧୨୫୩ ଏକର ଜଙ୍ଗଲ ଜମି ଡ଼ାଇଭର୍ସନ ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରୁ କମ୍ପାନୀ କଞ୍ଚାମାଲ ପରିବହନ କରିପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଛନ୍ତି ।

ପୋସ୍କୋକୁ ଯେତିକି ଜଙ୍ଗଲ ଜମି ପ୍ରଦାନ କରାଯିବ ସେତିକି ଜଙ୍ଗଲ କମ୍ପାନୀ ତିଆରି କରିବ ଓ ଏଥିପାଇଁ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ରମେଶ ପରାମର୍ଶ ଦେଇଛନ୍ତି । ଗତ ଜାନୁୟାରୀ ୩୧ରେ ମନ୍ତ୍ରଣାଳୟ ଉକ୍ତ ପ୍ରକଳ୍ପକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ ।

ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ କୌଣସି ଜଙ୍ଗଲ ଆଇନ ଉଲଂଘନ କରାଯାଇ ନାହିଁ ଓ ସେଠାରେ ଆଦିବାସୀ କିମ୍ବା ପାରମ୍ପରିକ ଜଙ୍ଗଲ ଅଧିବାସୀ ବସବାସ କରୁନାହାନ୍ତି ବୋଲି ରାଜ୍ୟ ସରକାର ଗତ ମାସ ୧୩ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ନିକଟରେ ଜବାବ ଦ।ଖଲ କରିଛନ୍ତି ।

ସଂପୃକ୍ତ ଅଞ୍ଚଳରେ ଜଙ୍ଗଲ ଜମି ଅଧିକାର ଆଇନ ଉଲ୍ଲଂଘନ କରାଯାଇଥିବା ବେଳେ ସେଠାରେ ଆଦିବାସୀ ଅଛନ୍ତି ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଅଭିଯୋଗ ପରେ ରମେଶ ଏସଂପର୍କରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ି ଗୋବିନ୍ଦପୁର ଓ ଢିଙ୍କିଆରେ ଅନୁଷ୍ଠିତ ପଲ୍ଲୀସଭା ରିଜୋଲ୍ୟୁସନକୁ ଅଣଦେଖା ନକରିବାକୁ ସରକାରଙ୍କୁ ପତ୍ର ଲେଖିଥିଲେ ।

ତେବେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁସାରେ ଉକ୍ତ ପଲ୍ଲୀସଭା ବୈଧ ନୁହେଁ ବୋଲି ଦର୍ଶାଇ ଗତ ଶନିବାର ରମେଶ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ସରକାର ତାଙ୍କୁ ଏସଂପର୍କିତ ରିପୋର୍ଟ ପ୍ରଦାନ କରିଥିଲେ ।
ପାରାଦ୍ୱୀପ ନିକଟରେ ଏକ ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ପୋସ୍କୋ ୨୦୦୫ ଜୁନ୍ ୨୨ରେ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲା ।

ଓଡିଶା ଡଟ୍ କମ୍

Exit mobile version