Site icon Odisha.com

ପୁରୀ: ରୂପାଇଟା ଅସ୍ତ୍ରାଗାରକୁ ସ୍ଥାନାନ୍ତର

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦ ଦାତା

ପୁରୀ, ମଇ ୭(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ଏମାର ମଠରୁ ଉଦ୍ଧାର କରାଯାଇଥିବା ରୂପା ଇଟାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ପୋଲିସ ଅସ୍ତ୍ରାଗାରକୁ ସ୍ଥାନାନ୍ତର କରାଯାଇଛି ।

ଏସ୍ପିଙ୍କ ତତ୍ତ୍ୱାବଧାନରେ ମଠ ପରିସରରେ ଥିବା ଦୁଇଟି କୋଠରୀର ସିଲ୍ ଖୋଲାଯାଇ ପ୍ରାୟ ନବେ କୋଟି ଟଙ୍କାର ରୂପା ଇଟା, ଅନ୍ୟ ରୂପା ସାମଗ୍ରୀ ଓ ସୁନା ଅଳଙ୍କାରକୁ ଅସ୍ତ୍ରାଗାର ମଧ୍ୟରେ ଗଚ୍ଛିତ ରଖାଯାଇଛି ।

ଏହି ସମୟରେ ମାଜିଷ୍ଟ୍ରେଟ, ମଠ ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଚାରି ପ୍ଲାଟୁନ୍ ସୁରକ୍ଷା କର୍ମଚାରୀ ଏବଂ ତିନି ଜଣ ଡିଏସ୍ପିଙ୍କ ଉପସ୍ଥିତିରେ ଦୁଇଟି ଭ୍ୟାନରେ ଶ୍ରମିକମାନେ ଏହି ରୁପାଇଟା ନେଇ ରଖିଥିଲେ । ପୂର୍ବରୁ ମଠ ଅଞ୍ଚଳ, ବଣିଆପଟିକୁ ସିଲ୍ କରିିଆଯାଇଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।

ମଠର ମରାମତି ସମୟରେ ଶ୍ରମିକମାନେ ରୂପା ଇଟାର ସନ୍ଧାନ ପାଇବା ସହ ଆଠ ଖଣ୍ଡ ରୁପାଇଟା ଚୋରିକରି ନେଇଯାଇଥିଲେ । ଏହି ଘଟଣାରେ ପୋଲିସ ଢେଙ୍କାନାଳରୁ ଦୁଇ ଜଣ ଶ୍ରମିକଙ୍କୁ ଗିରଫ କରିଥିଲା ।

ପରେ ଫେବୃଆରୀ ୨୬ ରେ ଏମାର ମଠର ଏକ ବନ୍ଦ କୋଠରୀରୁ ତିନୋଟି କାଠବାକ୍ସରୁ ଗୋଟିକ ୩୦ ରୁ୪୦ କେଜି ଓଜନର ପ୍ରାୟ ୫୨୨ଟି ଇଟା ଜବତ ହେବାପରେ ପୋଲିସ ମଠ ମହନ୍ତଙ୍କ ଚାଲିଚଳନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲା ଓ ମହନ୍ତଙ୍କ ସହ ଅନ୍ୟ ଛଅ ଜଣଙ୍କୁ ଗିରଫ କରିଥିଲା ।

ମହନ୍ତଙ୍କୁ ଗିରଫ କରାଯିବା ପରେ ଦେବୋତ୍ତର ବିଭାଗ ଗୋପାଳ ରାମାନୁଜ ଦ।ସଙ୍କୁ ମହନ୍ତ ପଦବୀରୁ ନିଲମ୍ବିତ କରିବା ସହିତ ଏକ ପାଞ୍ଚ ଜଣିଆ ପରିଚାଳନା କମିଟି ନିଯୁକ୍ତ କରିଥିଲେ ।

ଉଦ୍ଧାର କରାଯାଇଥିବା ରୂପାଇଟା ମଠ ପରିସରରେ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରୁପାଇଟା ମଠ ପରିସରରେ ରଖାଯିବା ସୁରକ୍ଷିତ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ହାଇକୋର୍ଟ ଏହି ଯୁକ୍ତି ଗ୍ରହଣ କରିବା ସହ କଡ଼ା ସୁରକ୍ଷା ମଧ୍ୟରେ ରୂପାଇଟାକୁ ପୁରୀ ଜିଲ୍ଲା ଅସ୍ତ୍ରାଗାରରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version